ଦାରିଙ୍ଗବାଡ଼ି,୨୦।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡିରୁ ସିର୍କାବର୍ଗକୁ ସଂଯୋଗ କରୁଥିବା ଜାଞ୍ଜିକୁଟି ପୋଲ ମଝିରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ସିର୍କାବର୍ଗକୁ ଯାତାୟତରେ ବାଧା ସୃଷ୍ଟି ହେବା ଘଟଣାରେ ବିଭାଗର ମରାମତି କାର୍ଯ୍ୟ ପରେ ରାସ୍ତା ଅବସ୍ଥା ଆହୁରି ଦୟନୀୟ ହୋଇପଡ଼ିଛି।
ଅତି ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତାରେ ଯାତାୟତ ସମ୍ଭବ ହେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଦୁର୍ଗମ ସିର୍କାବର୍ଗ ପଞ୍ଚାୟତକୁ ଏକ ମାତ୍ର ବସ୍ ଯାତାୟତ ମଧ୍ୟ ଠପ୍ ହୋଇଯାଇଛି।
ପ୍ରକାଶ ଯେ, ସୋମବାର ଅପରାହ୍ନରେ ଉକ୍ତ ପୋଲରେ ପ୍ରଥମେ ଗର୍ତ୍ତ ଓ ପରେ ଭୁଶୁଡି ନଷ୍ଟ ହୋଇଯାଇଥିଲା। ଏହାକୁ ମରାମତି କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ହେଲେ ଅତି ନିମ୍ନମାନର କାର୍ଯ୍ୟ ସାଙ୍ଗକୁ ଲଘୁଚାପ ବର୍ଷା ରାସ୍ତାରେ ପୂର୍ବ ଅପେକ୍ଷା ଏବେ ଯାତାୟତରେ ସମସ୍ୟା ଦ୍ବିଗୁଣିତ ହୋଇଯାଇଛି। ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।