Categories: ଜାତୀୟ

ରାଜଦ୍ରୋହ ଆଇନ ପରେ, ଏବେ ୟୁନିଫର୍ମ ସିଭିଲ କୋଡ: ଆଇନ ଆୟୋଗ ଖୁବ ଶୀଘ୍ର ଦାଖଲ କରିବେ ରିପୋର୍ଟ…

ନୂଆଦିଲ୍ଲୀ,୩।୬ : ଭାରତର ଆଇନ ଆୟୋଗ ରାଜଦ୍ରୋହ ଆଇନ ସମ୍ବନ୍ଧୀୟ ରିପୋର୍ଟ ଭାରତ ସରକାରଙ୍କ ନିକଟରେ ଦାଖଲ କରିଛନ୍ତି। ରାଜଦ୍ରୋହ ଆଇନକୁ ବଜାୟ ରଖିବା ପାଇଁ ସରକାରଙ୍କୁ ଏହାର ସୁପାରିଶ ଦାଖଲ କରିବା ପରେ ଆଇନ ଆୟୋଗ ବର୍ତ୍ତମାନ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଉପରେ ନଜର ରଖିଛନ୍ତି। ଚର୍ଚ୍ଚା ହେଉଛି ଆଇନ ଆୟୋଗ ଖୁବ ଶୀଘ୍ର ୟୁସିସି ଉପରେ ନିଜର ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିପାରନ୍ତି।

ଖବର ଅନୁଯାୟୀ, ଉତ୍ତରପ୍ରଦେଶ ପାଇଁ ୟୁସିସି ପ୍ରସ୍ତୁତ କରିଥିବା କମିଟିର ନେତୃତ୍ୱ ନେଇଥିବା ଜଷ୍ଟିସ (ଅବସରପ୍ରାପ୍ତ) ରଞ୍ଜନ ପ୍ରକାଶ ଦେଶାଇ ଶୁକ୍ରବାର ଆଇନ ଆୟୋଗର ସଦସ୍ୟମାନଙ୍କୁ ଭେଟିବା ପରେ ଏନେଇ ସମ୍ଭାବନା ପ୍ରକାଶ ପାଇଛି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇ ଏବଂ କମିଟିର ସଦସ୍ୟମାନଙ୍କ ସହିତ ଆଇନ କମିଶନ ମୁଖ୍ୟ ଅବସରପ୍ରାପ୍ତ ଜଷ୍ଟିସ ଋତୁରାଜ ଆୱସ୍ତି, ସଦସ୍ୟ କେ.ଟି ଶଙ୍କରନ, ଆନନ୍ଦ ପଲିୱାଲ ଏବଂ ଡିପି ବର୍ମାଙ୍କ ସହିତ ଆଲୋଚନା କରିଥିଲେ।

ଏହି ସମୟରେ ଉତ୍ତରାଖଣ୍ଡ ପାଇଁ ୟୁନିଫର୍ମ ସିଭିଲ କୋଡ ସମ୍ବନ୍ଧରେ କମିଟି ପ୍ରସ୍ତୁତ କରିଥିବା ଡ୍ରାଫ୍ଟ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗରେ ବିଶେଷଜ୍ଞ ତଥା ହିତାଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଆୟୋଗ କାର୍ଯ୍ୟ କରୁଛି ବୋଲି ବୈଠକ ପରେ ଜଷ୍ଟିସ ପ୍ରକାଶ ଦେଶାଇ କହିଛନ୍ତି। ଆଇନ ଆୟୋଗର ସଦସ୍ୟମାନଙ୍କ ସହ ହୋଇଥିବା ଆଲୋଚନାରୁ ଏହା ହିଁ ବୁଝାପଡୁଛି ବୋଲି ସେ କହିଛନ୍ତି।

ଗତ ବର୍ଷ ନଭେମ୍ବର ମାସରେ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଜଷ୍ଟିସ ଋତୁରାଜ ଆୱସ୍ତି ମଧ୍ୟ ସୂଚାଇ ଦେଇଥିଲେ ୨୨ ତମ ଆଇନ ଆୟୋଗ ପୂର୍ବ ଆୟୋଗରେ ବିଚାରାଧୀନ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଗବେଷଣା କାର୍ଯ୍ୟକୁ ଆଗେଇ ନେବେ। ୟୁନିଫର୍ମ ସିଭିଲ କୋଡ ମଧ୍ୟ ଏକ ପ୍ରସଙ୍ଗ ଭାବେ ଏଥିରେ ଅଛି।

Share