୫ ଥର ଝିଅ ଦେଖିବା ପରେ ଯୁବକ କଲେ ନାପସନ୍ଦ, ନିର୍ଧୂମ ଖାଇଲେ ଛେଚା, ଭିଡିଓ ଭାଇରାଲ

ମୁମ୍ବାଇ,୨୫।୪: ଜଣେ ଯୁବକ ୫ ଥର ଝିଅ ଦେଖିବା ପରେ ନାପସନ୍ଦ କରିବାରୁ ଝିଅ ଘର ଲୋକେ ସଂପୃକ୍ତ ଯୁବକଙ୍କୁ ଏକ ବନ୍ଦ କୋଠରିରେ ପ୍ରବଳ ପିଟିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟି ମହାରାଷ୍ଟ୍ରର ବୁଲଢାପା ଅଞ୍ଚଳର ବୋଲି ଜଣାପଡ଼ିଛି। ଅକୋଲା ଜିଲାର ତେଲହରା ତାଲୁକା ଖାପରଖେଡରେ ରହୁଥିବା ଯୁବକ ବୁଲଢାପା ଜିଲାର ନନ୍ଦୁରା ତାଲୁକାର ଅଲମପୁର ଗାଁର ଯୁବତୀକୁ ଥରେ ନୁହେଁ ୫ ଥର ଦେଖିବାକୁ ଆସିଥିଲେ। ନିଜ ବନ୍ଧୁ ପରିଜନ ଏବଂ ସାଙ୍ଗମାନଙ୍କ ସହ ଝିଅ ଦେଖିବାକୁ ଆସିଥିଲେ।

ଯୁବତୀଙ୍କ ପରିବାର ପକ୍ଷରୁ ମଧ୍ୟ ପ୍ରତିଥର ଆତିଥ୍ୟ ଚର୍ଚ୍ଚା କରାଯାଉଥିଲା। ସବୁଥର ଝିଅ ପସନ୍ଦ ହୋଇଥିବା ଯୁବକ କହିଥିଲେ ହେଁ ୫ମ ଥର ବେଳକୁ ମନା କରି ଦେଇଥିଲେ। ଝିଅର ଆଖି ଦୋଷ ଥିବା କହି ଏହି ବାହାଘର ସେ ଭାଙ୍ଗି ଦେଇଥିଲେ। ଏପଟେ ଝିଅ ଘର ଲୋକେ ବିବାହ ପାଇଁ ସମସ୍ତ ବନ୍ଦୋବସ୍ତ ସାରିଥିଲେ। କେବଳ ବିବାହ ବାକିଥିଲା। ଶେଷ ମୁହୂର୍ତ୍ତରେ ଯୁବକ ଜଣଙ୍କ କନ୍ୟାଙ୍କୁ ନାପସନ୍ଦ କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ପରିବାର ଲୋକେ ଗୋଟିଏ ଘରେ ବାନ୍ଧି ନିର୍ଧୂମ ପିଟିଥିଲେ। ଏହି ମାଡ଼ର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି। ଶେଷରେ ଗ୍ରାମବାସୀ ପହଞ୍ଚି ମାଡ଼ପିଟ୍‌ ଅଟକାଇଥିଲେ। ବିଚରା ଯୁବକ କାନମୁଣ୍ଡ ଆଉଁସି ଘରକୁ ଫେରିଗଲେ।

Share