Categories: ଖେଳ

ଶାହରୁଖ, ପ୍ରୀତି ଜିଣ୍ଟାଙ୍କ ପରେ କ୍ରିକେଟ୍‌ ଟିମ୍‌ କିଣିଲେ ସଲ୍‌ମାନ

ନୂଆଦିଲ୍ଲୀ, ୨୧।୧୦: ବଲିଉଡ୍‌ ଓ କ୍ରିକେଟ୍‌ ମଧ୍ୟରେ ସମ୍ପର୍କ ଏବେ ମଧ୍ୟ ଅତୁଟ ରହିଛି। ବିବାହ ବିଷୟ ହେଉ କିମ୍ବା କ୍ରିକେଟ୍‌ ଲିଗ୍‌ରେ ଏକ ଟିମ୍‌ କିଣିବା କଥା, ବଲିଉଡ୍‌ ଷ୍ଟାର୍‌ମାନେ କ୍ରିକେଟ୍‌ ପଡ଼ିଆକୁ ବହୁତ ଭଲ ପାଆନ୍ତି। ପୂର୍ବରୁ ବଲିଉଡ୍‌ ବାଦ୍‌ଶାହ ଶାହରୁଖ ଖାନ ଓ ପ୍ରୀତି ଜିଣ୍ଟା ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଲିଗ୍‌ ଆଇପିଏଲ୍‌ରେ ଦଳ କିଣିଛନ୍ତି। ଏବେ ଏହି ତାଲିକାରେ ଆଉ ଜଣେ ବଲିଉଡ୍‌ ସୁପର୍‌ ଷ୍ଟାର୍‌ ଯୋଡ଼ି ହେବାକୁ ଯାଉଛନ୍ତି। ବଲିଉଡ୍‌ର ଭାଇଜାନ ସଲ୍‌ମାନ ଖାନ୍‌ଙ୍କ ପରିବାର ଶ୍ରୀଲଙ୍କା କ୍ରିକେଟ୍‌ ଦ୍ୱାରା ଆୟୋଜିତ ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ରେ ଏକ ଦଳ କିଣିଥିବା ଜଣାପଡ଼ିଛି। ରିପୋର୍ଟ ମୁତାବକ ଖାନ୍‌ ପରିବାର ଏଲ୍‌ପିଏଲ୍‌ରେ କାଣ୍ଡି ଫ୍ରାଞ୍ଚାଇଜ୍‌କୁ କିଣିଥିବା ସ୍ବୀକାର କରିଛନ୍ତି। ଏହି ଟିମ୍‌ରେ ବିଶ୍ୱର ଦୁର୍ଦ୍ଦର୍ଷ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ରହିଛନ୍ତି।
ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେବା ଅବସରରେ ସଲ୍‌ମାନଙ୍କ ଭାଇ ସୋହେଲ୍‌ ଖାନ କହିଛନ୍ତି, ସେ ଏବଂ ତାଙ୍କ ବାପା ସଲିମ୍‌ ଖାନଙ୍କ କମ୍ପାନୀ ‘ଇଣ୍ଟରନ୍ୟାଶନାଲ’ ଲଙ୍କା ପ୍ରିମିୟର ଲିଗ୍‌ରେ ନିବେଶ କରିଛନ୍ତି। ତାଙ୍କ କମ୍ପାନୀ ଏହି ଲିଗ୍‌ରେ ଅନେକ ସମ୍ଭାବନା ଦେଖିଛନ୍ତି। ସୋହେଲ ଆହୁରି ମଧ୍ୟ କହିଛନ୍ତି, ‘ଆମ ଦଳର ଖେଳାଳି ଓ ପ୍ରଶଂସକଙ୍କ ଉତ୍ସାହ ଶୀର୍ଷରେ ରହିଛି। ଆମେ ସେମାନଙ୍କ ମଧ୍ୟରେ ଅନେକ ସମ୍ଭାବନା ଦେଖୁଛୁ। ସଲମାନ ନିଜେ ଶ୍ରୀଲଙ୍କା ଯାଇ ସେଠାରେ ସମସ୍ତ ମ୍ୟାଚ୍‌ ଦେଖିବେ। କ୍ରିସ ଗେଲ୍‌ ଏହି ଦଳରେ ଥିବାରୁ ସଲ୍‌ମାନ ବହୁତ ଉତ୍ସାହିତ ରହିଛନ୍ତି। ସ୍ଥାନୀୟ ଖେଳାଳି କୁଶାଲ ପେରେରା ଏହି ଦଳର ଆଇକନ୍‌ ଖେଳାଳି।’ ଏହି ଫ୍ରାଞ୍ଚାଇଜରେ ଗେଲ୍‌ଙ୍କ ବ୍ୟତୀତ ଲିଆମ ପ୍ଲଙ୍କେଟ୍‌, ପାକିସ୍ତାନର ଓ୍ବାହବ ରିଆଜ, ନୂଆନ ପ୍ରଦୀପ ପ୍ରମୁଖ ରହିଛନ୍ତି।

Share