୪୩ ମାଓବାଦୀଙ୍କ ସହ ଏକାଠି ଖାଇଲେ ସୁକୁମା ଏସ୍‌ପି

ମାଲକାନଗିରି, ୨୧ା୧୦ (ଡି.ଏନ.ଏ.): ସୁକ୍‌ମା ପୋଲିସ ନିକଟରେ ୪୩ ଜଣ ମାଓବାଦୀ ଗୁରୁବାର ଆତ୍ମ ସମର୍ପଣ କରିଛନ୍ତି। ତେବେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ସହ ତଳେ ବସି ସୁକୁମା ଏସ୍‌ପି ଏକାଠି ଖାଦ୍ୟ ଖାଇଥିଲେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଛତିଶଗଡ ସୀମାନ୍ତ ମାଓବାଦୀ ପ୍ରବଣ ସୁକୁମା ଜିଲାରେ।
ଖବରରୁ ଜଣାପଡିଛି, ସୁକୁମା ଜିଲାରେ ନୂତନ ଏସ୍‌ପି ଭାବେ ଯୋଗ ଦେଇଥିବା ସୁନୀଲ ଶର୍ମାଙ୍କ ଏପରି ନିଆରା କାମ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି। ଆତ୍ମସମର୍ପଣ କରିଥିବା ୪୩ ମାଓବାଦୀଙ୍କ ମଧ୍ୟରେ ୪୨ ଜଣ ମିଲିସିଆ ସଭ୍ୟ ରହିଥିବା ବେଳେ ପଡିଆମି ଲଖି ନାମକ ଜଣେ ଏରିଆ କମାଣ୍ଡର ରହିଛନ୍ତି। ଲଖିଙ୍କ ନାମରେ ପୂର୍ବରୁ ଛତିଶଗଡ଼ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ଜିଲା ପୋଲିସ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଛତିଶଗଡ଼ ସରକାରଙ୍କ ନିୟମ ଅନୁଯାୟୀ ସେମାନଙ୍କୁ ଥଇଥାନ କରାଯିବ। ଏମାନଙ୍କ ଉପରେ ଥିବା ସମସ୍ତ ମକଦ୍ଦମା ପ୍ରତ୍ୟାହାର କରାଯିବ ବୋଲି ଏସ୍‌ପି ଶର୍ମା ପ୍ରକାଶ କରିଛନ୍ତି। ଏହି ଅବସରରେ ଏସ୍‌ପି ଶର୍ମା ମାଓବାଦୀଙ୍କ ସହ ମିଶି ତଳେ ବସି ଖାଦ୍ୟ ଖାଇଥିଲେ। ଅନ୍ୟ ମାଓବାଦୀଙ୍କୁ ମଧ୍ୟ ଆତ୍ମସମର୍ପଣ ପାଇଁ ସେ ଆହ୍ବାନ ଦେଇଥିଲେ।

Share