ନୂଆଦିଲ୍ଲୀ,୧୧।୧୧: ଆଇପିଏଲ୍ରେ ଚମକିବା ପରେ ଭାରତୀୟ ଟି-୨୦ ଟିମ୍ରେ ସାମିଲ ହୋଇଛନ୍ତି ଭେଙ୍କଟେଶ ଆୟାର। ପିଲାଦିନୁ ପାଠପଢ଼ା ସହ କ୍ରିକେଟରେ ତାଙ୍କର ରୁଚି ରହିଥିଲା। ସେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବ୍ୟାଟିଂକୁ ବେଶ ପସନ୍ଦ କରୁଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଏକ ମ୍ୟାଚ୍ରେ ଗାଙ୍ଗୁଲି ଅଧିକ ରନ୍ କରିପାରି ନ ଥିଲେ। ଏଥିପାଇଁ ଭାରତ ପରାଜିତ ହୋଇଥିଲା। ଏହାକୁ ସହିପାରି ନ ଥିଲେ କୁନି ଭେଙ୍କଟେଶ। ଏବେ ପୁଅ ଭାରତୀୟ ଦଳ ପାଇଁ ଖେଳିବାର ସୁଯୋଗ ପାଇବା ପରେ ଏପରି କିଛି ସ୍ମୃତି ସମସ୍ତଙ୍କ ସହ ବାଣ୍ଟିଛନ୍ତି ଭେଙ୍କଟେଶଙ୍କ ବାପା।
ଭାରତୀୟ କ୍ରିକେଟ ପ୍ରତି ପିଲାଟିବେଳୁ ଭେଙ୍କଟେଶ ଆକର୍ଷିତ ଥିଲେ। ଏହାକୁ ନେଇ ତାଙ୍କ ବାପା ରାଜଶେଖରନ କୁହନ୍ତି, ଛଅ-ସାତ ବର୍ଷର ହେବା ବେଳକୁ ସେ କ୍ରିକେଟକୁ ଭଲପାଇ ବସିଥିଲା। ସେତେବେଳୁ ଗାଙ୍ଗୁଲୀଙ୍କ ବଡ଼ ପ୍ରଶଂସକ ସେ। ତାଙ୍କଠାରୁ ପ୍ରେରଣା ନେଇ ବାମହାତରେ ବ୍ୟାଟିଂ ଆରମ୍ଭ କରିଥିଲେ ଭେଙ୍କଟେଶ। ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ଏତେ ପ୍ରଭାବ ପକାଇଥିଲା ଯେ ତାଙ୍କୁ ଜ୍ୱର ହୋଇଯାଇଥିଲା। ସେତେବେଳେ କ୍ରିକେଟ ପ୍ରତି ସେ ଗମ୍ଭୀର ଥିବା ଅନୁଭବ କରିଥିଲୁ ବୋଲି ସେ କହିଛନ୍ତି।