ଅପହରଣ ପରେ ଆକ୍ରମଣ କରି ଲୁଟିଲେ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ରାତି ହେଲେ ଖଣ୍ଡଗିରି ଥାନା ଅଞ୍ଚଳରେ ଚାଲୁଛି ନିଶାଡ଼ି ଓ ଲୁଟେରାଙ୍କ ରାଜ୍‌। ଗତ ସପ୍ତାହରେ ଆନ୍ଧ୍ରରୁ ଆଳୁ ନେଇ ଆସିଥିବା ଟ୍ରକ୍‌ ଡ୍ରାଇଭରଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟି ନେଇଥିବାବେଳେ ଗୁରୁବାର ରାତିରେ ଆଉଏକ ବଡ଼ଧରଣର ଘଟଣା ଘଟାଇଛନ୍ତି ଲୁଟେରା। ବନ୍ଧୁକ ଦେଖାଇ ଦୁଇଜଣଙ୍କୁ ଅପହରଣ କରି ନେବା ପରେ କାର୍‌ ଭିତରେ ନାନା ନିର୍ଯାତନା ଦେଇ ଫିଙ୍ଗି ଦେଇଛନ୍ତି। ତେବେ ଲୁଟେରାମାନେ ବନ୍ଧୁକ ହ୍ୟାଣ୍ଡ୍‌ଗ୍ରିପ୍‌ରେ ସେମାନଙ୍କ ମୁଣ୍ଡକୁ ଛେଚି ଦେବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଏଥିସହ କାନ, ଗାଲ ଓ ତଣ୍ଟିକୁ କାମୁଡ଼ି ଦେଇଥିବାରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ମୁତାବକ, ରସୁଲଗଡ଼ ଅଞ୍ଚଳରେ ରହୁଥିବା ତରଣୀସେନ୍‌ ଧାରୁଆ ଏକ ଏନ୍‌ଜିଓରେ କାର୍ଯ୍ୟ କରନ୍ତି। ତାଙ୍କର ଜଣେ ସାଙ୍ଗଙ୍କ ମା’ କ୍ୟାନ୍‌ସରରେ ପୀଡିତ ହୋଇ କଟକ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଭୁବନେଶ୍ୱର ଏମ୍‌ସକୁ ଆଣିବା ଜରୁରୀ ଥିବାରୁ ସେ ତରଣୀଙ୍କ ସହାୟତା ଲୋଡ଼ିଥିଲେ। ଏଥିପାଇଁ ସେମାନେ ଗୁରୁବାର ରାତିରେ ଏମ୍‌ସ ଯାଇ ବୁଝାବୁଝି କରି ଫେରୁଥିଲେ। ରାତି ପ୍ରାୟ ସାଢେ ୧୨ଟାରେ ଖଣ୍ଡଗିରି ଓଭରବ୍ରିଜ୍‌ ପୂର୍ବରୁ ଜାତୀୟ ରାଜପଥରେ ଅଟକି ରହିଥିବା କ ଧଳା ରଙ୍ଗର ମାରୁତି ସୁଇଫ୍ଟରେ କେତେଜଣ ବ୍ୟକ୍ତି ସେମାନଙ୍କୁ ଭରତପୁର ଯିବାକୁ ରାସ୍ତା ପଚାରିଥିଲେ। ସେମାନେ ବାଇକ ରଖି ରାସ୍ତା ଦେଖାଉଥିବାବେଳେ ହଠାତ ଦୁର୍ବୃତ୍ତମାନେ କାରରୁ ଓହ୍ଲାଇ ଦୁଇଜଣଙ୍କୁ କାବୁ କରିନେଇଥିଲେ। ମୁଣ୍ଡରେ ପିସ୍ତଲ ଲଗାଇ ବାଇକ ଚାବି ଫିଙ୍ଗି କାରରେ ଅପହରଣ କରିନେଇଥିଲେ। କାର ଭିତରେ ଧାରୁଆ ଅସ୍ତ୍ରରେ ତରଣୀ ଓ ସହଯୋଗୀଙ୍କୁ ଆକ୍ରମଣ କରି ପାଖରେ ଥିବା ୩ ହଜାର ଟଙ୍କା, ମୋବଇଲ ଫୋନ୍‌ ଓ ଅନ୍ୟ ସାମଗ୍ରୀ ଛଡ଼ାଇ ନେଇଥିଲେ। ଏଟିଏମ୍‌ ପାସ୍‌ଓ୍ବାର୍ଡ ଓ ମୋବାଇଲ୍‌ ଫୋନ୍‌ ସିକ୍ରେଟ ନମ୍ବର ନ କହିବାରୁ ତରଣୀଙ୍କୁ ନାନା ନିର୍ଯାତନା ଦେଇଥିଲେ। ଶେଷରେ ଦୁଇଜଣଙ୍କୁ ବାରମୁଣ୍ଡା ବସଷ୍ଟାଣ୍ଡ୍‌ ନିକଟରେ କାର୍‌ରୁ ଫୋପାଡି ଫେରାର ହୋଇଯାଇଥିଲେ। ଦୁଇଜଣ ବହୁ କଷ୍ଟରେ କିଛିବାଟ ଚାଲିଚାଲି ଆସିବା ପରେ ବନ୍ଧୁମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପରେ ଶୁକ୍ରବାର ସକାଳେ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ।

Share