ଦୁର୍ଘଟଣା ପରେ ପୋଲିସ-ଜନତା ମୁହାଁମୁହିଁ

ସୋର, ୧୨।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସୋର-ବାଗୁଡି ରାସ୍ତାର ଆଙ୍ଗୁଳା ଛକଠାରେ ଗୁରୁବାର ରାତିରେ ଟ୍ରକ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ପଥର ବୋଝେଇ ଟ୍ରକ, ଡମ୍ପର ଯିବା ଆସିବା କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ କରି ଶୁକ୍ରବାର ସ୍ଥାନୀୟ ଅଞ୍ଚଳର ଲୋକେ ରାସ୍ତାରୋକୋ କରିଥିଲେ। ସୋର ଥାନା ଅଧିକାରିଣୀ ମଧୁମିତା ମହାନ୍ତି ପହଞ୍ଚତ୍ ଆଲୋଚନା କରିବା ପରେ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ଟେକା ମାଡ଼ କରିଥିଲେ। ଏଥିରେ ମହିଳା କନଷ୍ଟେବଳ ରାଜଲକ୍ଷ୍ମୀ ଦାସ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ପୋଲିସ ଲାଠିଚାର୍ଜରେ ଦୁଇ ବିକ୍ଷୋଭକାରୀ ଆହତ ହୋଇଛନ୍ତି। ଆନ୍ଦୋଳନକାରୀଙ୍କ ମଧ୍ୟରୁ ୫ଜଣଙ୍କୁ ସୋର ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଛି। ତହସିଲଦାର ଓ ଥାନାଧିକାରୀ ପହଞ୍ଚତ୍ ଆଲୋଚନା ଜାରି ରଖିଛନ୍ତି। ସୋର ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିବା ସହ ଏକ ମାମଲା (ନଂ. ୫୫/୨୧) ରୁଜୁ କରିଛି। ଆହତ ବ୍ୟକ୍ତି ହେଲେ ସୋର ଥାନା ଆଙ୍ଗୁଳା ଗ୍ରାମର ସନାତନ ଜେନା (୫୫)। ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଦ୍ୱାରା ସୋର ଡାକ୍ତରଖାନା ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Share