ବିକଳାଙ୍ଗ ଶିଶୁ କନ୍ୟା ଜନ୍ମ ପରେ ଶାଶୁଘର ଲୋକେ ଦେଉଥିଲେ ନିର୍ଯାତନା: ସହି ନ ପାରି…

କୁଜଙ୍ଗ,୮ା୧୦(ମନୋଜ ପ୍ରଧାନ):ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ଚଟୁଆ ପଞ୍ଚାୟତ ପୋଖରିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ନିଜ ୨ ଶିଶୁକନ୍ୟାଙ୍କୁ ଘର ନିକଟରେ ଥିବା ଏକ ପରିତ୍ୟକ୍ତ ପୋଖରୀକୁ ପିଙ୍ଗି ସେହି ହୁଡ଼ାରେ ଥିବା ଗଛରେ ଝୁଲିପଡ଼ିଛନ୍ତି। ମୃତକ ହେଲେ କୁଜଙ୍ଗ ଥାନା ଅନ୍ତର୍ଗତ ପୋଖରିଆପଡ଼ା ଗ୍ରାମର ଲମ୍ବୋଦର ପରିଡ଼ାଙ୍କ ସ୍ତ୍ରୀ ଝିଲି ପରିଡା(୩୫) ଓ ସାନଝିଅ ସମ୍ପୂର୍ଣ୍ଣା(୨)। ତେବେ ବଡ଼ଝିଅ ମୋନାଲିସା(୪) ପୋଖରୀରେ ନିଖୋଜ ହୋଇଯାଇଛନ୍ତି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି। ୨ ବିକଳାଙ୍ଗ ଶିଶୁ କନ୍ୟା ଜନ୍ମ ପରେ ଶାଶୁଘର ଲୋକଙ୍କ ନିର୍ଯାତନା ସହି ନ ପାରି ଝିଲି ଏପରି କାଣ୍ଡ କରିଥିବା ଆଲୋଚନା ହେଉଛି।

ଜଣେ ପଡ଼ୋଶୀଙ୍କ କହିବାନୁଯାୟୀ, ସେ କୌଣସି କାମରେ ଝିଲିଙ୍କ ଘରକୁ ଯାଇଥିଲେ। ମାତ୍ର ସେଠାରେ ମା’ ଓ ଦୁଇ ବିକଳାଙ୍ଗ ଶିଶୁ କନ୍ୟାଙ୍କୁ ପାଇ ନ ଥିଲେ। ସେ ଘର ବାରିପଟକୁ ଗଲାପରେ ପୋଖରୀ ହୁଡାରେ ଥିବା ଏକ ଗଛରେ ଝିଲିଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ଏହାଦେଖି ସେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚତ୍ ରଶି କାଟି ଝିଲିଙ୍କ ମୃତଦେହ ଆଣିବାକୁ ଉଦ୍ୟମ କଲାବେଳେ ତାହା ପାଣିରେ ପଡ଼ିଯାଇଥିଲା। ପୋଖରୀରୁ ତାଙ୍କ ମୃତଦେହ ବାହାର କରିବାପରେ ପାଣିରେ ୨ ଶିଶୁ ପଡ଼ିଥିବା ଆଶଙ୍କା କରି ଖୋଜାଖୋଜି କରିଥିଲେ। ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ପୋଖରୀରେ କଣ୍ଟା ପଡିଥିବାରୁ ସମ୍ପୂର୍ଣ୍ଣାଙ୍କ ମୃତଦେହ ମିଳିବାରେ ବିଳମ୍ବ ହୋଇଥିଲା। ମାତ୍ର ମୋନାଲିସାଙ୍କ କୌଣସି ପତ୍ତା ମିଳିନାହିଁ। ସ୍ଥାନୀୟ ଲୋକେ ଏହାପରେ ଝିଲି ଓ ସମ୍ପୂର୍ଣ୍ଣାଙ୍କ ମୃତଦେହ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ମୃତା ଝିଲିଙ୍କ ଭାଉଜଙ୍କ କହିବା ଅନୁଯାୟୀ, ତାଙ୍କ ନଣନ୍ଦ ଦୁଇଟି ଭିନ୍ନକ୍ଷମ ଶିଶୁ କନ୍ୟା ଜନ୍ମଦେଇଥିବାରୁ ସ୍ବାମୀ, ସାବତ ଶାଶୁ ଓ ଶ୍ୱଶୁର ସେମାନଙ୍କୁ ବହୁ ସମୟରେ ନିର୍ଯାତନା ଦେଇଆସୁଥିଲେ। ଏପରିକି ଝିଲି ତାଙ୍କୁ ଫୋନକରି ଶାଶୁଘର ପକ୍ଷରୁ ନିର୍ଯାତନା ଦିଆଯାଉଥିବା କହିଛନ୍ତି। ତେବେ ପ୍ରକୃତ ଘଟଣା କ’ଣ ପରିବାର ପକ୍ଷରୁ ଲିଖିତ ଭାବେ ଏତଲା ଦିଆଯିବା ପରେ ଜଣାପଡ଼ିବ। ଏ ସମ୍ପର୍କରେ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସଙ୍କୁ ମୋବାଇଲ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଉଠାଇ ନ ଥିଲେ।

Share