ପାରାଦୀପ,୧୯।୪(ଶରତ ରାଉତ): ରାଜ୍ୟର ଉପକୂଳ ଓଡ଼ିଶାରେ ଏବେ ସାମୁଦ୍ରିକ ମାଛଧରା ବନ୍ଦର ଅଛି। ଏହା ମଧ୍ୟରେ ମାଛ ଗଦି କରିଥିବା ବ୍ୟବସାୟୀମାନେ ପୁଟି ବେପାର ଉପରେ ଗୁରୁତ୍ୱ ଦେଲେଣି। ଯେଉଁ ଅଳ୍ପ ପୁଟି ମିଳୁଛି ତାକୁ ଶୁଖାଇ ବିକ୍ରି ଉପରେ ଧ୍ୟାନ ଦେଉଛନ୍ତି। କାରଣ ଉକ୍ତ ପୁଟି ବଜାର ଦର୍ ସର୍ବାଧିକ ରହୁଛି। ଗତ ଗୁରୁବାର ମା’ପାର୍ବତୀ ନାମକ ବୋଟରେ ଥିବା ୩ଟି ତେଲିଆ ବୋରେଇ ମାଛ ବିକ୍ରି କରାଯାଇଥିଲା। ୨୨ କେଜି ଓଜନର ମାଛ ପ୍ରାୟ ୪୪ ହଜାର ଟଙ୍କାରେ ବିକ୍ରି ହୋଇଥିଲା ବୋଲି ପାରାଦୀପ ଅଠରବାଙ୍କି ବାଲିପ୍ଲଟ ମାଛଗଦି ବ୍ୟବସାୟୀ ବାସୁ ବଇତ କୁହନ୍ତି। ଏହାବାଦ ଏହି ମାଛରୁ ସଂଗ୍ରହ ହୋଇଥିବା ପୁଟି ଶୁଖାଯାଇ ତାହାକୁ ବିକ୍ରି କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ବ୍ୟବସାୟୀ ଯାଦବ ବଇତ କୁହନ୍ତି, ଏବେ ବିଦେଶକୁ ପୁଟି ଅଧିକ ରପ୍ତାନି କରାଯାଉଛି। କୋଲକାତାରୁ ବ୍ୟବସାୟୀମାନେ ଆସି ଏହାକୁ ନେଉଛନ୍ତି। ସବୁଠାରୁ ଅଧିକ ମୂଲ୍ୟ ହେଉଛି ତେଲିଆ ବୋରେଇ ମାଛର। ୫ କେଜିରୁ ଅଧିକ ଓଜନର ତେଲିଆ ବୋରେଇ ପୁଟି କେଜି ପିଛା ୫୦ ହଜାର ଟଙ୍କାରେ ସେମାନେ ନେଉଛନ୍ତି। ସେହିପରି ଛୋଟ ଓ ବଡ଼ ମାଛର ପୁଟି ପାଇଁ ଅଲଗା ଦର ରହିଛି। ଏହାବାଦ୍ ଭେକ୍ଟି, ସାପମାଛ ପୁଟି ମଧ୍ୟ ସେହିଭଳି ମୂଲ୍ୟରେ ବିକ୍ରି ହେଉଛି। ତାଙ୍କ ମତରେ ଏହି ମାଛ ପୁଟି ସବୁ ଔଷଧୀୟ କାମରେ ଲାଗୁଛି। ଯଥା ବିଭିନ୍ନ କ୍ୟାପସୁଲର ଉପରି ଭାଗର ଖୋଳ, ଅପରେଶନ ସମୟରେ ବ୍ୟବହାର ହେଉଥିବା ସୂତା, ଓମେଗା ଟାବ୍ଲେଟ ଆଦି ଏହି ସାମୁଦ୍ରିକ ମାଛ ପୁଟିରୁ ପ୍ରସ୍ତୁତ ହୁଏ। ସେଥିପାଇଁ ଆମେ ପୂର୍ବରୁ ମାଛ ବିକ୍ରି କରୁଥିଲୁ। ସେମାନେ ମାଛ କାଟି ମାଂସାଳ ଅଂଶକୁ ସାଧାରଣ ବଜାର ମୂଲ୍ୟରେ ବିକ୍ରି କରିଥାନ୍ତି। କିନ୍ତୁ ପୁଟିକୁ ଅଲଗା ବିକ୍ରି କରନ୍ତି। ଏବେ ଶୁଖିଲା ପୁଟିର ଅଧିକ ଚାହିଦା ରହୁଛି। ଗୋଟିଏ ମାଛ ପୁଟିକୁ ବାହାର କରି ସୂତା ଜରିଆରେ ଘର ଭିତର ଖୋଲା ପବନରେ ଶୁଖା ଯାଉଛି। ୨ ରୁ ୩ ଦିନ ମଧ୍ୟରେ ତାହା ରବର ଭଳି ହୋଇଥାଏ। ସେହି ଶୁଖିଲା ପୁଟିର ମୂଲ୍ୟ କେଜି ପିଛା ୫୦ହଜାର ଟଙ୍କା ମିଳିଥାଏ। ସେଥିପାଇଁ ଏବେ ପୁଟିକୁ ଶୁଖେଇ ବିକୁଛୁ ବୋଲି ଅନ୍ୟତମ ବ୍ୟବସାୟୀ ପରେଶ ମଣ୍ଡଳ କୁହନ୍ତି।
ମାଛଧରା କଟକଣା ପରେ ସାମୁଦ୍ରିକ ମାଛଧରା ବନ୍ଦ ରହିଛି। କିନ୍ତୁ ଛୋଟ ଡଙ୍ଗାଗୁଡିକ ପାଇଁ ଆଂଶିକ କୋହଳ ରହିଛି। ସେହି ଛୋଟ ଡଙ୍ଗା ସୂତୀ ଜରିଆରେ ଟୁନା ମାଛ, କାଉ ମାଛ, ସାପମାଛ, ତେଲିଆ ବୋରେଇ, ଭେକ୍ଟି ଆଦି ଧରିବାକୁ ଯାଉଛନ୍ତି। କାଁ ଭାଁ ଯଦି ତେଲିଆ ବୋରେଇ ଯେଉଁ ଡଙ୍ଗା ମାଲିକଙ୍କୁ ମିଳୁଛି ସେମାନେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି।


