ବିବାଦ ପରେ ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରିନେଲେ ସବ୍ୟସାଚୀ

ମୁମ୍ବାଇ: ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ନିଜର ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରି ନେଇଛନ୍ତି। ବାସ୍ତବରେ ସବ୍ୟସାଚୀ ମଙ୍ଗଳସୂତ୍ରର ବିଜ୍ଞାପନ ପାଇଁ ଜଣେ ଅର୍ଦ୍ଧ ନଗ୍ନ ମଡେଲଙ୍କୁ ବ୍ୟବହାର କରିଥିଲେ। ଏହା ପରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମୁଖାର୍ଜୀଙ୍କ ବିଜ୍ଞାପନ ଉପରେ ଆପତ୍ତି ଉଠାଇଥିଲେ। ସେ ସବ୍ୟସାଚୀଙ୍କୁ ୨୪ ଘଣ୍ଟିଆ ଚେତାବନୀ ଦେଇଥିଲେ। ଯାହା ପରେ ସବ୍ୟସାଚୀ ରବିବାର ବିଳମ୍ବିତ ରାତିରେ ତାଙ୍କର ବିବାଦୀୟ ବିଜ୍ଞାପନକୁ ହଟାଇ ଦେଇଛନ୍ତି।

ବର୍ତ୍ତମାନ ନରୋତ୍ତମ ମିଶ୍ର ଏକ ବିବୃତ୍ତିରେ କହିଛନ୍ତି, ମୋର ପୋଷ୍ଟ ପରେ ସବ୍ୟସାଚୀ ତାଙ୍କର ଆପତ୍ତିଜନକ ବିଜ୍ଞାପନ ପ୍ରତ୍ୟାହାର କରି ନେଇଛନ୍ତି। ଯଦି ସେ ଏହା ପୁନର୍ବାର କରନ୍ତି ତେବେ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତାଙ୍କୁ କୌଣସି ଚେତାବନୀ ଦିଆଯିବ ନାହିଁ।

ଅନ୍ୟପକ୍ଷରେ ସବ୍ୟସାଚୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି, ମଙ୍ଗଳସୂତ୍ର ବିଜ୍ଞାପନ ଅନ୍ତର୍ଭୂକ୍ତିକରଣ ଏବଂ ସଶକ୍ତିକରଣ ଉପରେ ବାର୍ତ୍ତାଳାପ ପାଇଁ ଉଦ୍ଦିଷ୍ଟ ଥିଲା। ଐତିହ୍ୟ ଏବଂ ସଂସ୍କୃତି ଉପରେ ନିରନ୍ତର ଆଲୋଚନାର ପୃଷ୍ଠଭୂମିରେ। ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ଉତ୍ସବ ପାଳନ କରିବା। ଆମେ ଗଭୀର ଦୁଃଖିତ ଯେ, ଏହି କାରଣରୁ ଆମ ସମାଜର ଏକ ବିଭାଗ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଆମେ ଏହି ବିଜ୍ଞାପନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ।

Share