ବିବାଦ ପରେ ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଅଡିଓ ରେକର୍ଡିଂ

ଭୁବନେଶ୍ବର, ୨୭ା୬(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲାକୁ ଯିବା, ସାଧାରଣ ସଭା କରିବା, ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମିଳିବାକୁ ନେଇ ବିବାଦ ବଢ଼ିବା ପରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ମୁଖ୍ୟତଃ ପାଣ୍ଡିଆନ ଏବେ ସବୁ ଜିଲାରେ ସରକାରୀ କାର୍ଯ୍ୟକ୍ରମ କରୁଥିବାବେଳେ ବିରୋଧୀ ଏହାକୁ କଡ଼ା ଭାଷାରେ ସମାଲୋଚନା କରୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଏସବୁ ହେଉଛି ନା ନାହିଁ ବୋଲି ସେମାନେ ବାରମ୍ବାର ପ୍ରଶ୍ନ ଉଠାଇଥିଲେ। ଯଦି ମୁଖ୍ୟମନ୍ତ୍ରୀ ଏନେଇ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ନିର୍ଦ୍ଦେଶ ଦେଇନାହାନ୍ତି ତେବେ ମୁହଁ ଖୋଲନ୍ତୁ ବୋଲି ମଧ୍ୟ ଉଭୟ କଂଗ୍ରେସ ଏବଂ ଭାଜପା ନେତାମାନେ ଦାବି କରିଥିଲେ। ତେବେ ବରଗଡ ଜିଲା ଗସ୍ତରେ ଥିବା ସମୟରେ ନବୀନଙ୍କ ଏକ ଅଡିଓ ରେକର୍ଡିଂକୁ ୫-ଟି ସଚିବ ପାଣ୍ଡିଆନ ମିଶନ ଶକ୍ତି ମା’ମାନଙ୍କୁ ଭେଟିବାବେଳେ ନିଜ ଫୋନରୁ ବଜାଇ ଶୁଣାଇଛନ୍ତି। କାଳେ ଲୋକେ ଠିକ୍‌ ସେ ଶୁଣି ନ ପାରିବେ ସେଥିପାଇଁ ପୂର୍ବରୁ ରେକର୍ଡିଂ ହୋଇଥିବା ନବୀନଙ୍କ ଏହି ଅଡିଓ ସନ୍ଦେଶକୁ ୨ ଥର ବଜାଇ ପାଣ୍ଡିଆନ ଶୁଣାଇଛନ୍ତି। ଯେଉଁଥିରେ ନବୀନ କହିଛନ୍ତି, ଆପଣଙ୍କ ସୁଖଦୁଃଖ ବୁଝିବା ପାଇଁ ସେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ପଠାଇଛନ୍ତି। ଆପଣମାନେ ଭଲ କାମ କରନ୍ତୁ। ସେ ସାହାଯ୍ୟ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ୨ ପଦ କଥା ପରେ ପାଣ୍ଡିଆନଙ୍କ ଜିଲା ଗସ୍ତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଥିବା ସ୍ପଷ୍ଟ ହୋଇଛି ବୋଲି ଆଲୋଚନା ଜୋର୍‌ ଧରିଛି। ତେବେ ଏନେଇ ବିରୋଧୀ କ’ଣ କହୁଛନ୍ତି ତାକୁ ଏବେ ସମସ୍ତଙ୍କ ନଜର ରହିଛି।
ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, କାହିଁକି ପ୍ରତିଦିନ ପାଣ୍ଡିଆନଙ୍କ ଜିଲା ଗସ୍ତ ଲାଗି ୫ କୋଟି ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ କରାଯାଉଛି। ଜଣେ ସରକାରୀ ଅଧିକାରୀଙ୍କ ପାଇଁ କିପରି ଏ ଟଙ୍କା ଖର୍ଚ୍ଚ ହେଉଛି। ଏହା ୫୦ ପ୍ରତିଶତ ମୋ ସରକାରର ପ୍ରତିଫଳନ। ମୁଖ୍ୟମନ୍ତ୍ରୀ କହିଲେ, ସେ ତାଙ୍କ ସଚିବଙ୍କ ପଠାଉଛନ୍ତି, ହେଲେ କେଉଁଠି ବି ସେ ତାଙ୍କ ପ୍ରତିନିଧିଙ୍କୁ ପଠାଉଛନ୍ତି ବୋଲି କହିଲେ ନାହିଁ। ତେବେ ୫-ଟି ସଚିବଙ୍କ ଗସ୍ତ ପଛର ସତ୍ୟତା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ପାଣ୍ଡିଆନଙ୍କ ଗସ୍ତ ଲାଗି ଯେଉଁ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରାଯାଉଛି, ଏହାକୁ କେଉଁ ସୁରକ୍ଷା କମିଟି ସ୍ଥିର କରିଛି। ଯାହା ତାଙ୍କୁ ମିଳୁଛି, ସବୁ ସଚିବଙ୍କ ଲାଗି ଏହି ବ୍ୟବସ୍ଥା ହେବ କି ବୋଲି ପୃଥ୍ବୀରାଜ ପ୍ରଶ୍ନ କରିଛନ୍ତି।

Share