ସିଂହନାଥ ଦେବଙ୍କ ପୀଠ ପରିସର ଶୂନ୍‌ଶାନ

ବଡ଼ମ୍ବା,୧୬।୧(ଡି. ଏନ. ଏ ):କଟକ ଜିଲା ବାଙ୍କୀ ବୈଦେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ ମହାନଦୀରେ ସଂଯୋଗ କରୁଥିବା ଟି-ବ୍ରିଜରେ ଶନିବାର ଦଳାଚକଟା ପରେ ପ୍ରଶାସନର ଚେତା ପଶିଛି। ରବିବାର ଓ ସୋମବାର ମେଳାକୁ ବନ୍ଦ ରଖାଯିବା ସହ ପୀଠ ଓ ସିଂହନାଥ ପୀଠକୁ ସଂଯୋଗ ଥିବା ଟି-ସେତୁରେ ୨ ଦିନ ପାଇଁ ୧୪୪ ଧାରା ଜାରି କରାଯାଇଛି। ଏପରିକି ଯାତ୍ରାସ୍ଥଳରେ ଥିବା ସମସ୍ତ ଦୋକାନ ଓ ବ୍ୟବସାୟୀଙ୍କୁ ହଟାଇ ଦିଆଯାଇଛି। ଫଳରେ ପୀଠ ପରିସର ଏବଂ ଟି- ସେତୁ ସମ୍ପୂର୍ଣ୍ଣ ଶୂନ୍‌ଶାନ ହୋଇଯାଇଛି। ପ୍ରଶାସନ ତରଫରୁ ସେଠାରେ ୭ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଯାତ୍ରା ସମୟରେ କେବଳ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବାବେଳେ ଖାଲି ସମୟରେ କାହିଁକି ଅଧିକ ଫୋର୍ସ ମୁତୟନ କରାଯାଇଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ ସଂଖ୍ୟା ଅତି କମ୍‌ଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଏ ସମ୍ପର୍କରେ ତହସିଲଦାର ନୀଳକଣ୍ଠ ବେହେରା କହିଛନ୍ତି, ୧୪୪ ଧାରା ଉଲ୍ଲଂଘନ ହେବାର ଆଶଙ୍କା ଥିବାରୁ ଏପରି କରାଯାଇଛି। ଅପରପକ୍ଷେ ଆହତମାନେ ଚିକିତ୍ସା ପରେ ଭଲ ଥିବା ନେଇ ସେ କହିଛନ୍ତି। ବଡ଼ମ୍ବା ଥାନା ଅନ୍ତର୍ଗତ ମାନପୁର ଗ୍ରାମର ଦାଶରଥି ବେହେରା (୪୮) ତିଗିରିଆସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ସିଂହନାଥ ଦେବଙ୍କ ପୀଠରେ ମକର ସଂକ୍ରାନ୍ତିରେ ମକର ମେଳା ଉପଲକ୍ଷେ ଶନିବାର ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ସମୟରେ ଟି-ସେତୁରେ ଅସମ୍ଭାଳ ଭିଡ଼ ଯୋଗୁ ଦଳାଚକାଟା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ।

Share