Categories: ଜାତୀୟ

ପ୍ରିୟଙ୍କା-ସତିଶ ମିଶ୍ରା ଗୃହବନ୍ଦୀ

ଲକ୍ଷ୍ନୌ,୪ ।୧୦: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ହୋଟେଲରେ କାନପୁରରର ବ୍ୟବସାୟୀ ମନିଷ ଗୁପ୍ତାଙ୍କୁ ପୋଲିସର ମାଡ ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଶେଷ ହୋଇ ନ ଥିବା ବେଳେ ଲକ୍ଷ୍ମୀପୁର ଖେରିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ କାର୍ ମଡାଇ ଦେବାରୁ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଏବେ ରାଜନୀତି ହୋଇଛି ସରଗରମ । ଶାସନ-ପ୍ରଶାସନ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କୁ ଉଚିତ ଦଣ୍ଡ ଦେବାକୁ ଦାବି ଉଠିଛି । ଖେରିର ବନବିରପୁର ଗାଁର ଘଟଣା କେବଳ ରାଜ୍ୟର ନୁହେଁ ସାରା ଦେଶର କୃଷକଙ୍କ ରକ୍ତକୁ ଗରମ କରି ଦେଇଛି । ଭାରତୀୟ କୃଷକ ୟୁନିୟନ, ସଂଯୁକ୍ତ କୃଷକ ମୋର୍ଚ୍ଚା, କଂଗ୍ରେସ, ସପା, ବସପା ସମେତ ଅଧିକାଂଶ ବିରୋଧୀ ଦଳ ନେତା ଲକ୍ଷ୍ମୀପୁର ଖେରି ଯିବାକୁ ଘୋଷଣା କରି ସାରିଛନ୍ତି । ଏହାକୁ ଦେଖି ଯୋଗୀ ସରକାର ଡ୍ୟାମେଜ କଣ୍ଟ୍ରୋଲ କରିବାରେ ଲାଗି ପଡିଛନ୍ତି । ଏହି କ୍ରମରେ ବିଳମ୍ବିତ ରାତ୍ରିରେ ଲକ୍ଷ୍ନୌ ପହଞ୍ଚିଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ବହୁଜନ ସମାଜ ପାର୍ଟି ମହାସଚିବ ସତିଶ ମିଶ୍ରାଙ୍କୁ ଲକ୍ଷ୍ନୌରେ ଗୃହବନ୍ଦୀ କରାଯାଇଥିବା ଜଣାପଡିଛି । ଏମାନେ ଲକ୍ଷ୍ମୀପୁର ଖେରି ଯିବାକୁ ପ୍ରସ୍ତୁତ ହେଉଥିଲେ । ସୂଚନାଯୋଗ୍ୟ, ଲକ୍ଷ୍ମୀପୁର ଖେରିର ତିକୁନିୟା ଅଞ୍ଚଳରେ ଏବେ ପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଲୋକ ଆହତ ହୋଇଥିବା ଜଣାପଡିଛି ।

Share