ବାପାଙ୍କ ମୃତ୍ୟୁ ପରେ ଯମଜ ସନ୍ତାନଙ୍କୁ ହରାଇଥିଲେ ଫର୍ଦ୍ଦିନ; ଏବେ ବଖାଣିଲେ ଦୁଃଖ

ବମ୍ବେ: ଦୀର୍ଘ ୧୨ ବର୍ଷର ଲମ୍ବା ବ୍ୟବଧାନ ପରେ ବଲିଉଡ୍‌କୁ ଫେରୁଛନ୍ତି ଅଭିନେତା ଫର୍ଦ୍ଦିନ ଖାନ୍‌। ଚଳଚ୍ଚିତ୍ର ‘ବିସ୍ଫୋଟ’ରେ ନଜର ଆସିବେ ସେ। ଫିଲ୍ମରେ ତାଙ୍କ ସହ ଅଭିନେତା ରିତେଶ ଦେଶମୁଖ ମଧ୍ୟ ଅଛନ୍ତି। ଏହାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଫର୍ଦ୍ଦିନ। ନିକଟରେ ଏକ ସାକ୍ଷାତକାରରେ ନିଜ ବ୍ୟକ୍ତିଗତ ଜୀବନ ସହ ବଲିଉଡ୍‌ରୁ ଦୂରେଇ ଯିବାର କାରଣ ବିଷୟରେ ବଡ଼ ଖୁଲାସା କରିଛନ୍ତି ସେ।

ଫର୍ଦ୍ଦିନ ସ୍ତ୍ରୀ ନତାଶାଙ୍କ ସହ ଲଣ୍ଡନ ଚାଲିଯାଇଥିଲେ। ଏପରିକି ଝିଅ ଜନ୍ମ ପରେ ମଧ୍ୟ ମୁମ୍ବାଇକୁ ଫେରି ନ ଥିଲେ। ଏହା ପଛରେ କି କାରଣ ଥିଲା କହିଛନ୍ତି ଅଭିନେତା। ସେଇଟି ହେଲା ବାପାଙ୍କ ମୃତ୍ୟୁ ପରେ ଫର୍ଦ୍ଦିନ ଭାଙ୍ଗି ପଡ଼ିଥିଲେ। ୨୦୦୯ରେ ସନ୍ତାନଟିଏ ଚାହିଁଥିଲେ। ହେଲେ ଅସୁବିଧା କାରଣରୁ ଆଇଭିଏଫ୍‌ ଜରିଆରେ ସନ୍ତାନ ପ୍ରାପ୍ତ ବିଷୟରେ ଚିନ୍ତା କରିଥିଲେ।

୨୦୧୧ରେ ନତାଶାଙ୍କ ପେଟରେ ଯମଜ ସନ୍ତାନ ରହିଥିବା ଜଣାପଡ଼ିଥିଲା। ହେଲେ ୬ ମାସରେ ହିଁ ଉଭୟ ତାଙ୍କୁ ହରାଇଥିଲେ। ଏହା ତାଙ୍କ ଦୁଃଖକୁ ଦ୍ୱିଗୁଣିତ କରିଥିଲା। ପରେ ଉଭୟଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ହୋଇଥିଲା ବୋଲି ଫର୍ଦ୍ଦିନ କହିଛନ୍ତି। ଏବେ ଅନେକ ବର୍ଷ ପରେ ସେ ମୁଖ୍ୟ ଭୂମିକାରେ ଫେରୁଥିବାରୁ ପ୍ରଶଂସକମାନେ ବହୁତ କିଛି ଆଶା କରୁଛନ୍ତି। ତେବେ ଫିଲ୍ମ ରିଲିଜ ପରେ ସବୁକିଛି ସ୍ପଷ୍ଟ ହେବ।

Share