Categories: ଜାତୀୟ

ଶାବକର ମୃତ୍ୟୁ ପରେ ମା’ହାତୀର ତାଣ୍ଡବ, ୨ ଜଣଙ୍କୁ ଦଳି ମାରିଲା…

କୋଲକାତା,୧୯।୧୦ : ପଶ୍ଚିମବଙ୍ଗର ଝାଡଗ୍ରାମ ଜିଲାରେ ଶାବକ ମୃତ୍ୟୁରେ ପାଗଳ ଭଳି ହୋଇ ମା’ ହାତୀ ତାଣ୍ଡବ ରଚିଛି। କ୍ରୋଧିତ ମା’ ହାତୀ ୨ ଜଣଙ୍କୁ ଦଳି ମାରି ଦେଇଛି। ବନ ଅଧିକାରୀ କହିଛନ୍ତି ନୟାଗ୍ରାମର ଚନ୍ଦବିଲା ଜଙ୍ଗଲ ନିକଟରେ ଥିବା ରାମେଶ୍ୱର ମନ୍ଦିର ନିକଟରେ ପାର୍କିଂରେ ଥିବା ଏକ ଖାଲି ବସ, ମୋଟରସାଇକେଲ ଏବଂ ଅନେକ ଘରକୁ ମା‘ ହାତୀ ଭାଙ୍ଗରୁଜି ଦେଇଛି।

ଅଧିକାରୀ ଜଣକ କହିଛନ୍ତି ହାତୀ ଶାବକର ମୃତ୍ୟୁ ଘଟିଥିଲା। ଶାବକର ମୃତଦେହ ଦେଖିବାକୁ ରୁଣ୍ଢ ହୋଇଥିବା ଲୋକଙ୍କ ଉପରେ ଆକ୍ରମଣ କରି ଦୁଇ ଜଣଙ୍କୁ ମା’ ହାତୀ ତଳେ ପକାଇ ଦେଇଥିଲା।

ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତ୍ୟେକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ କ୍ଷତିପୂରଣ ଘୋଷଣା କରିବା ସହ କ୍ଷତିଗ୍ରସ୍ତ ଘରଗୁଡିକର ମରାମତି କରିବେ ବୋଲି ଘୋଷଣା କରିଛନ୍ତି। ମୃତ ବ୍ୟକ୍ତିମାନେ ନୟାଗ୍ରାମ ପୋଲିସ ଷ୍ଟେଶନ ଅଞ୍ଚଳର ଦେଓଲବର ଗାଁର ବାସିନ୍ଦା ଅନନ୍ତ ଜାନା (୬୦) ଏବଂ ବିରିବାରିୟାର ବାସିନ୍ଦା ଶଶଧର ମହାତା ବୋଲି ଜଣାପଡିଛି।

ଖଡଗପୁର ଡିଏଫଓ ଶିବାନନ୍ଦ ରାମ କହିଛନ୍ତି ହାତୀ ଶାବକର ମୃତଦେହ ଦେଖିବାକୁ କିଛି ଲୋକ ଚନ୍ଦବିଲା ଜଙ୍ଗଲ ଅଞ୍ଚଳକୁ ଯାଇଥିଲେ। ଏହି ସମୟରେ ମା‘ ହାତୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲା। ଦୁଇଜଣ ବୃଦ୍ଧଙ୍କ ବ୍ୟତୀତ ସେମାନଙ୍କ ମଧ୍ୟରୁ ଅଧିକାଂଶ ଖସିଯିବାରେ ସଫଳ ହୋଇଥିଲେ। ହାତୀ ଦୁଇ ବୃଦ୍ଧଙ୍କୁ ଟେକି କଚାଡିବା ପରେ ଦୂରକୁ ଫିଙ୍ଗି ଦେଇଥିଲା। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

Share