Categories: ଜାତୀୟ

ଗୁଜରାଟ ପରାଜୟ ପରେ କଂଗ୍ରେସର ଘରକଳି ତେଜିଲା…

ଅହମଦାବାଦ,୧୪।୧୨ : ଗୁଜରାଟ ନିର୍ବାଚନ ଫଳାଫଳ ସହିତ ରାଜ୍ୟରେ କଂଗ୍ରେସରେ ଘରକଳି ଏବେ ପଦାକୁ ଆସିଛି। କଂଗ୍ରେସର ଗୁଜରାଟ ୟୁନିଟ ନେତା ତଥା ପୂର୍ବତନ ବିଧାୟକ ରଘୁ ଦେଶାଇ ବିଧାନସଭା ନିର୍ବାଚନରେ ଦଳର ପରାଜୟ ନେଇ ରାଜ୍ୟ ସଭାପତି ଜଗଦୀଶ ଠାକୁରଙ୍କୁ ଦାୟୀ କରିଛନ୍ତି। ଦଳର କେନ୍ଦ୍ରୀୟ ନେତୃତ୍ୱ ଠାକୁରଙ୍କୁ ନିଲମ୍ବନ କରିବାକୁ ସେ ଦାବି କରିଛନ୍ତି। ଦେଶାଇ କହିଛନ୍ତି ଯେ ନିର୍ବାଚନରେ ଠାକୁରଙ୍କ ଘନିଷ୍ଠ ସହଯୋଗୀ ଦଳ ବିରୋଧରେ କାର୍ଯ୍ୟ କରିଥିଲେ।

ପାଟନ ଜିଲାର ରାଧାନପୁର ଆସନରୁ ନିର୍ବାଚନରେ ହାରିଯିବା ପରେ ଦେଶାଇ ସୋମବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏକ ଚିଠିରେ ପ୍ରକାଶ କରିଛନ୍ତି। ମଙ୍ଗଳବାର ସେ ଏହି ଚିଠିକୁ ଗଣମାଧ୍ୟମ ସହ ଶେୟାର କରିଛନ୍ତି। ପୂର୍ବତନ ବିଧାୟକ ଅଭିଯୋଗ କରିଛନ୍ତି ଯେ ଠାକୁରଙ୍କ ସହଯୋଗୀମାନେ କଂଗ୍ରେସ ଦଳ ବିରୋଧରେ କାର୍ଯ୍ୟ କରିଛନ୍ତି ଏବଂ ରାଧାନପୁରରେ ଦଳର ପରାଜୟ ପାଇଁ ସେମାନେ ଦାୟୀ।

ଗୁଜରାଟ କଂଗ୍ରେସ କମିଟି (ଜିପିସିସି) ସଭାପତି ତାଙ୍କ ବିରୋଧରେ ଦେଶାଇ ଦେଇଥିବା ଅଭିଯୋଗର କୌଣସି ପ୍ରତ୍ୟକ୍ଷ ଉତ୍ତର ଦେଇନାହାଁନ୍ତି। ତେବେ ନିର୍ବାଚନରେ ହାରିଯିବା ପରେ କିଏ କିପରି ଅନୁଭବ କରୁଛନ୍ତି ତାହା ମୁଁ ବୁଝି ପାରୁଛି ବୋଲି ସେ କହିଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ଏଥର ଭାଜପା ରାଧାନପୁରରୁ ଲୋଭିଙ୍ଗଜୀ ଠାକୁରଙ୍କୁ ପ୍ରାର୍ଥୀ କରିଥିଲା। କଂଗ୍ରେସ ଟିକେଟରେ ସେ ନିର୍ବାଚନରେ ଜିତିବେ ବୋଲି ଦେଶାଇ ନିରନ୍ତର ଦାବି କରୁଥିଲେ। ତେବେ ଭାଜପା ପ୍ରାର୍ଥୀ ତାଙ୍କୁ ପରାସ୍ତ କରିଥିଲେ। ଏହା ସହିତ ଗୁଜରାଟ ନିର୍ବାଚନରେ କଂଗ୍ରେସକୁ ମାତ୍ର ୧୭ ଟି ଆସନରେ ସଫଳତା ମିଳିଥିଲା। ଯାହାକି ରାଜ୍ୟରେ ଆସନ ଦୃଷ୍ଟିରୁ ସବୁଠାରୁ ଖରାପ ପ୍ରଦର୍ଶନ ।

Share