ନୂଆଦିଲ୍ଲୀ,୪।୪ : କୃଷକଙ୍କ ଆନ୍ଦୋଳନ ପରେ ବର୍ତ୍ତମାନ ଦେଶବ୍ୟାପୀ ଯୁବ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଦେଶର ୧୧୩ ସଂଗଠନ ଏକତ୍ରିତ ହୋଇ ‘ୟୁନାଇଟେଡ ୟୁଥ ଫ୍ରଣ୍ଟ’ (ମିଳିତ ଯୁବ ମୋର୍ଚ୍ଚା )ଗଠନ କରିଛନ୍ତି। ମଙ୍ଗଳବାର ଏନେଇ ଖବରଦାତାଙ୍କୁ ଯୁବା ହଲାବୋଲର ଜାତୀୟ ସଂଯୋଜକ ଅନୁପମ ଏହି ସୂଚନା ଦେଇଛନ୍ତି। ରୋଜଗାର ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହେବ। ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ୨୨ ଟି ରାଜ୍ୟରୁ ବିଭିନ୍ନ ନିଯୁକ୍ତି ଗୋଷ୍ଠୀ ଏବଂ ଯୁବ ସଂଗଠନ ଅଂଶଗ୍ରହଣ କରିଥିଲେ। ସେହି ବୈଠକରେ ‘ଭାରତ ରୋଜଗାର ସଂହିତା’ କାର୍ଯ୍ୟକାରୀ ହେବା ନେଇ ଏକ ସହମତି ପ୍ରକାଶ ପାଇଛି। ଏହି ଆନ୍ଦୋଳନ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଲାଗି ସାରା ଦେଶରେ ଯୁବ ମହାପଞ୍ଚାୟତ ଆୟୋଜନ କରାଯିବ। ଜୁନ ମାସରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଯୁବବର୍ଗମାନଙ୍କର ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ସମସ୍ତ ପ୍ରଦେଶର ବହୁ ସଂଖ୍ୟକ ଯୁବବର୍ଗ ଅଂଶଗ୍ରହଣ କରିବେ।