କୁଖ୍ୟାତ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂ ପନ୍ନୁଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଖବର ପ୍ରଚାର ପରେ ବଞ୍ଚିଥିବାର ଭିଡ଼ିଓ ଜାରି କଲେ ପନ୍ନୁ…

ନ୍ୟୁୟର୍କ,୬।୭ : ଭାରତରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଶିଖ ଫର ଜଷ୍ଟିସର କୁଖ୍ୟାତ ନେତା ଗୁରୁପତଓ୍ବନ୍ତ ସିଂ ପନ୍ନୁଙ୍କୁ ଆମେରିକାରେ ଏକ ସଡ଼କ ଦୁର୍ଘଟଣାରେ ମୃତ ଘୋଷଣା କରାଯାଇଛି। କୁହାଯାଉଛି ତାଙ୍କ କାର ଆମେରିକାର ହାଇୱେ ୧୦୧ ରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ତେବେ ତାଙ୍କ ମୃତ୍ୟୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇପାରି ନାହିଁ।
ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସେ ଜାତିସଂଘ ମୁଖ୍ୟାଳୟ ସମ୍ମୁଖରେ ଛିଡ଼ା ହୋଇଥିବାର ଭିଡ଼ିଓ ଜାରି କରି ବଞ୍ଚିଥିବା କହିଛନ୍ତି। ଫଳରେ ତାଙ୍କ ମୃତ୍ୟୁକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି।

କୁହାଯାଏ ପନ୍ନୁ ଦୀର୍ଘ ସମୟ ଧରି ଅଣ୍ଡରଗ୍ରାଉଣ୍ଡରେ ରହି ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ । ସେ ଭୟ କରୁଛନ୍ତି ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜର, ଅବତାର ସିଂ ଖଣ୍ଡା ଭଳି ତାଙ୍କୁ ମଧ୍ୟ ଟାର୍ଗେଟ କରାଯାଇପାରେ। ଗୁରୁପତଓ୍ବନ୍ତ ସିଂ ପନ୍ନୁ ସୋସିଆଲ ମିଡିଆରେ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର ବିସ୍ତାର କରି ଖାଲିସ୍ତାନ ପ୍ରତିଷ୍ଠା ବିଷୟରେ ଗର୍ବ କରୁଥିଲେ। ୧ ଜୁଲାଇ ୨୦୨୦ ରେ ଭାରତ ସରକାର ତାଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲେ। ଜୁଲାଇ ୨୦୨୦ ରେ, ପଞ୍ଜାବ ପୋଲିସ ଅମୃତସର ଏବଂ କାପୁରଥାଲାରେ ପନ୍ନୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା।

ପନ୍ନୁ ପ୍ରାୟତଃ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖାଲିସ୍ତାନ ବିଷୟରେ ଭାରତ ବିରୁଦ୍ଧରେ ମନ୍ତବ୍ୟ ଦେଇଥାନ୍ତି। ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡକୁ ତାଙ୍କର ତଥାକଥିତ ଖାଲିସ୍ତାନରେ ଅନ୍ତର୍ଭୁକ୍ତ କରିବାକୁ ସେ ଧମକ ଦେଇଥିଲେ। ପନ୍ନୁଙ୍କ ନିର୍ଦ୍ଦେଶରେ ତାଙ୍କ ସଂଗଠନ ଶିଖ ଫର ଜଷ୍ଟିସର ଆତଙ୍କବାଦୀମାନେ ହିନ୍ଦୁ ମନ୍ଦିର, ଭାରତୀୟ ଦୂତାବାସ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି। ପନ୍ନୁ ଅମୃତସରର ଖାନକୋଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପରେ ସେ ରୋଜଗାର କରିବାକୁ ବିଦେଶ ଯାଇଥିଲେ ଏବଂ ଆଇଏସଆଇ ସାହାଯ୍ୟରେ ପଞ୍ଜାବରେ ଖାଲିସ୍ତାନୀ ଆନ୍ଦୋଳନକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଥିଲେ। ସେ ଖାଲିସ୍ତାନ ସପକ୍ଷରେ ବିଦେଶରେ ରହୁଥିବା ଶିଖମାନଙ୍କୁ ଉତ୍ସାହିତ କରିଥିଲେ। କେବଳ ଏତିକି ନୁହେଁ, ସେ ପାକିସ୍ତାନୀ ଆଇଏସଆଇରୁ ମିଳିଥିବା ଟଙ୍କା ଦ୍ୱାରା ଭାରତରେ ହିଂସା ବ୍ୟାପିବା ପାଇଁ ଷଡ଼ଯନ୍ତ୍ର କରିଥିଲେ ।

ପନ୍ନୁ ନିରୀହ ଯୁବକମାନଙ୍କୁ ଟଙ୍କା ଦେଇ ପ୍ରଲୋଭିତ କରୁଥିବା ଅଭିଯୋଗ ହୋଇଛି। ସେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଏବଂ ଖାଲିସ୍ତାନ ପ୍ରତି ସମବେଦନା ଜଣାଇଥିଲେ। ଆତଙ୍କବାଦ ବିସ୍ତାର କରିବା ଏବଂ ଖାଲିସ୍ତାନ ଉପରେ ଏକ ନକଲି ଜନମତ ସଂଗ୍ରହ ଆୟୋଜନ ପାଇଁ ସେ ଏହାକୁ ବ୍ୟବହାର କରିଥିଲେ।

Share