ଖବର ପ୍ରକାଶ ପରେ ରାସ୍ତା କାମ ଆରମ୍ଭ

କୋକସରା,୨୨ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ବୋବରିଆ ଛକରୁ ଡେଙ୍ଗାଗୁଡ଼ା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ଶୋଚନୀୟ ହୋଇ ପଡ଼ିଥିବା ନେଇ ଗତକିଛି ଦିନ ତଳେ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶିତ ପରେ ତତ୍ପରତା ଦେଖାଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଠିକାସଂସ୍ଥା। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରଓ୍ବାଲ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ଓ କାର୍ଯ୍ୟ ପାଇଁ ଟେଣ୍ଡର ପାଇଥିବା ଠିକାସଂସ୍ଥା ସହିତ କଥା ହୋଇ ବର୍ଷା ଦିନ ପାଇଁ ସାମୟିକ ଭାବେ ରାସ୍ତା ମରାମତି କରିବାକୁ ଠିକାସଂସ୍ଥାକୁ ଅନୁରୋଧ କରିଥିଲେ। ଠିକାସଂସ୍ଥା ପକ୍ଷରୁ ଶନିବାର ଠାରୁ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ବର୍ଷା ଦିନ ପରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପାଦନ ହେବା ନେଇ କନିଷ୍ଠ ଯନ୍ତ୍ରୀ କହିଛନ୍ତି। ମରାମତି କାର୍ଯ୍ୟ ତଦାରଖ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁରେଶ ବରିହା ଓ ବ୍ଲକ ଉପାଧ୍ୟକ୍ଷ ପହଞ୍ଚି ମରାମତି କାର୍ଯ୍ୟ ଦେଖିଛନ୍ତି। ଏହି ସମୟରେ ବୋବରିଆ ଓ ଡେଙ୍ଗାଗୁଡ଼ା ଅଞ୍ଚଳର ଲୋକେ ଉପସ୍ଥିତ ରହି ରାସ୍ତା ମରାମତି ପାଇଁ ତ୍ୱରିତ ପଦକ୍ଷେପ ନେଇଥିବାରୁ ବ୍ଲକ ଉପାଧ୍ୟକ୍ଷ ଓ ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।