ପଞ୍ଚାୟତ ପରେ ହୋଇପାରେ ପୌର ଭୋଟ୍‌

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇ ରବିବାର ସୁଦ୍ଧା ନାମାଙ୍କନ କାଏମ ତାଲିକା ପ୍ରକାଶ ପାଇସାରିଛି। ସବୁଦଳର ପ୍ରାର୍ଥୀ ତୃଣମୂଳସ୍ତରରୁ ଭୋଟ ହାତେଇବା ଲାଗି ନିଜର ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଲେଣି। ଏହାରି ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୌର ଭୋଟ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜଣାପଡ଼ିଛି। ପଞ୍ଚାୟତ ଭୋଟ୍‌ ପରେ ପରେ ପୌର ଭୋଟ ହେବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଚଳିତ ମାସ ଶେଷସୁଦ୍ଧା ଓ୍ବାର୍ଡ ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ, ମେୟର ଏବଂ ପୌରାଧ୍ୟକ୍ଷ ପଦବୀ ଚୂଡାନ୍ତ କରି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସରକାର ପ୍ରଦାନ କରିବେ। ଏପଟେ ବୁଥ୍‌ ଚିହ୍ନଟ ଏବଂ ଓ୍ବାର୍ଡଓ୍ବାରି ଭୋଟର ତାଲିକା ପ୍ରସ୍ତୁତି ଲାଗି ଜିଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ଚିଠି ଲେଖିଛନ୍ତି। ଏଭଳି ଚିଠି ପରେ ସହରାଞ୍ଚଳରେ ଭୋଟ ଖୁବ୍‌ଶୀଘ୍ର ହେବା ନେଇ ଆଶା ବଢ଼ିଛି।

ରାଜ୍ୟର ୧୦୭ ପୌର ପରିଷଦ, ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ଭୋଟ ହେବ। ସଂରକ୍ଷଣର ଚିଠା ତାଲିକା ପ୍ରକାଶ ପାଇସାରିଥିବା ବେଳେ ବର୍ତ୍ତମାନ ଆପତ୍ତି ଅଭିଯୋଗର ଶୁଣାଣି ଚାଲିଛି। ୨୦୨୨ ଜାନୁୟାରୀରେ ଚିଫ୍‌ ଇଲେକ୍ଟୋରାଲ ଅଫିସରଙ୍କ ପକ୍ଷରୁ ପ୍ରକାଶିତ ନିର୍ବାଚନମଣ୍ଡଳୀ ଓ୍ବାରି ଭୋଟର ଲିଷ୍ଟରୁ ଓ୍ବାର୍ଡଓ୍ବାରି ଭୋଟର ଲିଷ୍ଟ ତାଲିକା ପ୍ରସ୍ତୁତି ଲାଗି ନିର୍ଦ୍ଦେଶ ଦିଆଯାଇଛି। ପୌର ନିର୍ବାଚନ ପ୍ରସ୍ତୁତି ନେଇ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲାପାଳମାନଙ୍କ ସହିତ ଆଲୋଚନା କରାଯାଇଛି।

Share