Categories: ଗଞ୍ଜାମ

ତହସିଲଦାରଙ୍କୁ ଘେରାଉ ପରେ ଖୋଲିଲା ଔଷଧ ଦୋକାନ

ପାଟପୁର,୩୦ା୭-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡା ଗ୍ରାମରେ ପଜିଟିଭ ଚିହ୍ନଟ ପରେ ଗ୍ରାମରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟ ଔଷଧ ଦୋକାନ ଗୁଡିକୁ ରବିବାର ସିଲ୍‌ କରାଯାଇଥିଲା। ଗୁରୁବାର ସକାଳେ ତହସିଲ ପ୍ରଶାସନ କଙ୍କୋରଡା ଗ୍ରାମରେ ପହଞ୍ଚତ୍ ଶଟ୍‌ଡାଉନ ସ୍ଥିତି ଅନୁଧ୍ୟାନ କରୁଥିବାବେଳେ ଗ୍ରାମବାସୀ ଘେରାଉ କରି ହୋହଲ୍ଲା କରିଥିଲେ। ସାନଖେମୁଣ୍ଡି ତହସିଲଦାର ଓ ପୋଲିସ ପହଞ୍ଚତ୍ ଲୋକଙ୍କୁ ବୁଝାସୁଝା କରିବା ସହ ସିଲ୍‌ ହୋଇଥିବା ଔଷଧ ଦୋକାନ ଖୋଲିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ପ୍ରକାଶ ଯେ, କଙ୍କୋରଡା ଗ୍ରାମରୁ ୫୦ରୁ ଉର୍ଦ୍ଧ୍ୱ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ଘଟିଛି। ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କଙ୍କୋରଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାୟ ୩ ବର୍ଷ ହେଲା ଡାକ୍ତର ନାହାନ୍ତି। ଏହା ଉପରେ ନିର୍ଭର କରୁଥିବା କଙ୍କୋରଡା, କଉଡିଆ, ଲେଙ୍କାଖାଲି, ଗମ୍ଭାରୀଗୁଡା ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଚାଷ କାମ ଚାଲିଥିବାରୁ ବହୁ ଲୋକେ ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ସ୍ବାସ୍ଥ୍ୟକେନ୍ଦ୍ର ନିକଟ ଔଷଧ ଦୋକାନରେ ଭିଡ ଜମାଉଛନ୍ତି। ସାମାଜିକ ଦୂରତା ରହୁ ନ ଥିବାରୁ ତହସିଲ ପ୍ରଶାସନ ରବିବାର ଉକ୍ତ ଔଷଧ ଦୋକାନ ଗୁଡିକୁ ସିଲ୍‌ କରିଥିଲା। ଫଳରେ ଗ୍ରାମବାସୀ ବାଧ୍ୟହୋଇ ନିକଟସ୍ଥ ଗ୍ରାମରେ ଥିବା ଔଷଧ ଦୋକାନକୁ ଯାଉଛନ୍ତି। କିନ୍ତୁ ସେମାନେ କଙ୍କୋରଡା ଲୋକେ ଜାଣିଲେ ଔଷଧ ଦେବାକୁ ମନା କରିଦେଉଛନ୍ତି। ଗୁରୁବାର ସକାଳ ପ୍ରାୟ ୯ ଟାରେ କୋଭିଡ୍‌ ଡ୍ୟୁଟିରେ ଥିବା ଅଧିକାରୀ ଗ୍ରାମକୁ ଯାଇଥିବାବେଳେ ଗ୍ରାମବାସୀ ଗାଡିକୁ ଅଟକାଇଥିଲେ। ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ ପହଞ୍ଚତ୍ ସେମାନଙ୍କୁ ବୁଝାଶୁଝା କରିବା ସହ ସିଲ୍‌ ହୋଇଥିବା ଔଷଧ ଦୋକାନ ଖୋଲାଯାଇଥିଲା। ଆସନ୍ତା ୫ ଦିନ ମଧ୍ୟରେ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।