Categories: ଖେଳ

ଟି୨୦ ପରେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ମିଳିପାରେ ଦିନିକିଆରେ ପ୍ରଥମ ସୁଯୋଗ

ପୁଣେ,୨୫।୩ : ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍‌ରେ ବିସ୍ଫୋରକ ବ୍ୟାଟିଂର ନମୁନା ଦେଖାଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିପାରେ ଦିନିକିଆରେ ପଦାର୍ପଣ ସୁଯୋଗ। କାରଣ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ଆହତ ଜନିତ ସମସ୍ୟା ଯୋଗୁ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଅନୁପସ୍ଥିତି ଯୋଗୁ ବଢ଼ିଯାଇଛି ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ସୂର୍ଯ୍ୟଙ୍କ ଖେଳିବାର ସମ୍ଭାବନା। ବିଜୟ ସହ ସିରିଜ୍‌ ଆରମ୍ଭ କରିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧିନ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ମୁକାବିଲକୁ ଜିତି ସିରିଜ୍‌ ହାତେଇବା ଲକ୍ଷ୍ୟରେ ରହିଛି।

ତେବେ ପ୍ରଥମ ମ୍ୟାଚ୍‌ରେ ଆଘାତ ପାଇଥିବା ବରିଷ୍ଠ ଓପନର ରୋହିତ ଶର୍ମା ସମୟରେ ଫିଟ୍‌ ହୋଇଯିବେ ବୋଲି ଆଶା କରାଯାଉଛି। କିନ୍ତୁ ଯଦି ମ୍ୟାନେଜମେଣ୍ଟ ରୋହିତଙ୍କୁ ବିଶ୍ରାମ ଦେବାକୁ ଚାହେଁ, ତେବେ ଶିଖର ଧାଓ୍ବନଙ୍କ ସହ ଶୁବମାନ ଗିଲ କିମ୍ବା ଲୋକେଶ ରାହୁଲଙ୍କୁ ଓପନିଂ କରିବାକୁ ପଡ଼ିବ। ରିଷଭ ପନ୍ତଙ୍କୁ ଦଳରେ କେବଳ ବ୍ୟାଟ୍ସମ୍ୟାନ ଭାବେ ଯାଗା ମିଳିପାରେ। ବୋଲରଙ୍କ ମଧ୍ୟରେ ଚାଇନାମ୍ୟାନ ସ୍ପିନର କୁଲଦ୍ୱୀପ ଯାଦବଙ୍କୁ ଦଳରୁ ବାଦ୍‌ ଦିଆଯିବାର ବିଶେଷ ସମ୍ଭାବନା ରହିଛି। ଗତ ମ୍ୟାଚ୍‌ରେ ସେ ୯ ଓଭରରେ ୭୦ ରନ୍‌ ଖର୍ଚ୍ଚ କରିଥିଲେ ମଧ୍ୟ ହାତେଇ ପାରି ନ ଥିଲେ ଗୋଟିଏ ହେଲେ ଉଇକେଟ। ତାଙ୍କ ବଦଳରେ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଖେଳିପାରନ୍ତି। ଏହାବାଦ୍‌ ଭୁବନେଶ୍ୱର କୁମାର, ପ୍ରସିଦ୍ଧ କ୍ରିଷ୍ଣା ଓ ଶାର୍ଦ୍ଦୁଳ ଠାକୁର ଗତ ମ୍ୟାଚ୍‌ରେ ୧୦ ରୁ ୯ଟି ଉଇକେଟ ହାତେଇଥିଲେ। ଏଣୁ ଏହି ବିଭାଗରେ କୌଣସି ପରିବର୍ତ୍ତନର ଆଶା ନାହିଁ।

Share