ଚୋରି ପରେ ପଶୁନି ଚେତା, ମନ୍ଦିରବେଢ଼ା ଖୋଲା       

କେନ୍ଦୁଝର, ୩୧।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରୁ ଚୋରି ଘଟଣାରେ ପୋଲିସ କାହାରିକୁ ଗିରଫ କରିନାହିଁ। ତେବେ ଚୋରିର ତିନି ଦିନ ପରେ ମଧ୍ୟ ଏହାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇନାହିଁ ା ଏହାର ଚାରିପାଖର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇନାହିଁ। ଫଳରେ ପୁଣି ଚୋରି ହେବା ସମ୍ଭାବନା ରହୁଛି।
ପ୍ରକାଶ ଯେ, ଶ୍ରୀ ବଳଦେବଜୀଉ ମନ୍ଦିର ୧୬୭୧ରେ ପ୍ରତିଷ୍ଠା ହୋଇଥିବା ବେଳେ ଦୁଇ ଏକରରୁ ଅଧିକ ପରିମିତ ଅଞ୍ଚଳରେ ରହିଛି ଏହାର ବେଢ଼ା ା ଏହି ମନ୍ଦିରର ଉଚ୍ଚତା ୧୩୫ ଫୁଟ ରହିଥିବା ବେଳେ ଏଠାକାର ବିଶ୍ୱ ପ୍ରସିଦ୍ଧ ରଥର ଉଚ୍ଚତା ୭୨.୪ ଫୁଟ ରହିଛି ା ଏହି ମନ୍ଦିର ବେଢାର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ପାଖାପାଖି ଦୁଇ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ତେବେ ଏହାର ଚାରିପାଖରେ ଥିବା ମେଘନାଦ ପାଚେରି ରହିଥିବା ବେଳେ ମନ୍ଦିରର ଉନ୍ନତୀକରଣ ଚାଲିଥିବାରୁ  ଅନେକ ସ୍ଥାନରେ ଖୋଲା ରହିଛି। ଫଳରେ ଚୋର ଅବାଧରେ ପ୍ରବେଶ କରିପାରିବ। ବିଭାଗର ଖାମଖିଆଲ ମନୋଭାବ ଯୋଗୁ ଏଭଳି ବେଢା ଅସୁରକ୍ଷିତ ଅବସ୍ଥାରେ ରହିଛି। ଚାରିପାଖରେ ପ୍ରବେଶ ପଥ ଗୁଡିକର ଉନ୍ନତୀକରଣ କାମ ଚାଲିଛି। କେତେକ ସ୍ଥାନରେ ବାଉଁଶ ଭାଡି ଲଗାଯାଇଛି ତ କେଉଁଠି ଶିଡି ଲାଗିଛି, ଯାହାକି ଚୋର ସହଜରେ ଉଠି ଭିତରକୁ ପ୍ରବେଶ କରିପାରିବ। ଦାୟିତ୍ୱରେ ଥିବା ଯନ୍ତ୍ରୀମାନେ ଆସୁ ନ ଥିବା କିମ୍ବା ସଠିକ ତଦାରଖ କରୁ ନ ଥିବାରୁ କାମର ମାନ ଠିକ ହେଉନାହିଁ ଏବଂ ପରିସର ଅସୁରକ୍ଷିତ ଅବସ୍ଥାରେ ରହିଛି। ଏଣୁ ଏଥିନେଇ ଉଭୟ ଦେବୋତ୍ତର ଓ ପୂର୍ତ୍ତ ବିଭାଗର ଖାମଖିଆଲ ମନୋଭାବ ସ୍ପଷ୍ଟ ଜଣାପଡୁଛି ା ଏହାପରେ ଚୋରି ହେଲେ ଉଭୟ ବିଭାଗ ଦାୟୀ ରହିବେ ବୋଲି ବରିଷ୍ଠ ଆଇନଜୀବୀ ଅଶୋକ ଦାସ କହିଛନ୍ତି ା ମନ୍ଦିର ହୁଣ୍ଡି ଭାଙ୍ଗି ଚୋର ଟଙ୍କା ଲୁଟି ନେବା ପରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ନ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସ୍ଥାନୀୟ ଭକ୍ତମାନେ ମତବ୍ୟକ୍ତ କରିଛନ୍ତି ା
Share