ଟିକା ନେବା ପରେ ମୁକ ବ୍ୟକ୍ତି କହିଲେ କଥା

ରାଞ୍ଚି,୧୩ା୧: ଭାରତୀୟ ଟିକାର ଆଉ ଏକ ଚମତ୍କାରିତା ଦେଖିବାକୁ ମିଳିଛି। ଟିକା ନେବା ପରେ ଜଣେ ବ୍ୟକ୍ତିଙ୍କ କଥା କହିବା ଶକ୍ତି ଫେରିଛି। ୫ ବର୍ଷ ହେଲା କଥା କହି ପାରୁ ନ ଥିବା ବ୍ୟକ୍ତି ଜଣକ କୋଭିଶିଲ୍ଡ ଟିକା ନେବା ପରେ ଏବେ କଥା କହିପାରୁଛନ୍ତି। କେବଳ ସେତିକି ନୁହେଁ, ଶରୀରରେ ଥିବା ଅନ୍ୟାନ୍ୟ ସମସ୍ୟା ବି ଦୂରେଇ ଯାଇଛି। ଏମିତି ଏକ ଖୁସି ଖୁବର ଜାଣିବାକୁ ଶୁଣିବାକୁ ମିଳିଛି ଝାଡ଼ଖଣ୍ଡର ରାଞ୍ଚିରେ। ଏହି ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ମେଡିକାଲ ଟିମ୍‌ ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ, ଗୋମିୟାର ପେଟରଓ୍ବାର ଗାଁର ୫୫ ବର୍ଷୀୟ ଦୁଲାରଚାନ୍ଦ ମୁଣ୍ଡା ୫ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ବାକ୍‌ଶକ୍ତି ହରାଇ ବସିଥିଲେ। ଏଥିସହ ସେ ଠିକ୍‌ରେ ଚଲାବୁଲା କରିପାରୁ ନ ଥିଲେ। ଏପରିକି ତାଙ୍କ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ଯେମିତି ଅକାମୀ ଲାଗୁଥିଲା। ମାତ୍ର କୋଭିଶିଲ୍ଡ ଟିକା ନେବା ପରେ ସେ ଏବେ ପୂର୍ବପରି କଥା କହି ପାରିବା ସହ ନିଜ କାମ ନିଜେ ବି କରିପାରୁଛନ୍ତି।

ତାଙ୍କ ପରିବାର ଲୋକ କୁହନ୍ତି, ଚିକିତ୍ସା ପାଇଁ ଦୁଲାରଚାନ୍ଦକୁ ଅନେକ ଡାକ୍ତରଖାନା ନେବାକୁ ପଡ଼ିଛି। ଅନେକ ମନ୍ଦିରରେ ପୂଜାର୍ଚ୍ଚା କରାଯାଇଛି। ମାତ୍ର କୌଣସି ସୁଫଳ ମିଳୁ ନ ଥିଲା। ଏବେ କିନ୍ତୁ କରୋନାର କୋଭିଶିଲ୍ଡ ଟିକାର ପ୍ରଥମ ଡୋଜ୍‌ ନେବା ପରେ ତାଙ୍କଠାରେ ଅନେକ ପରିବର୍ତ୍ତନ ଘଟିଛି। ସେ କଥା କହିପାରୁଛନ୍ତି।
ଏହି ଖବର ପ୍ରଚାର ହୋଇଯିବା ପରେ ଜିଲାର ସିଭିଲ ସର୍ଜନ ଡ. ଜିତେନ୍ଦ୍ର କୁମାର ଏକ ମେଡିକାଲ ଟିମ୍‌ ଗଠନ କରି ଦୁଲାରଚାନ୍ଦଙ୍କ ମେଡିକାଲ ହିଷ୍ଟ୍ରି ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି।

Share