ଟମାଟୋ ପରେ ଏବେ ପିଆଜ ଦାମ ୧୦୦ ଟଙ୍କା ମୁହାଁ…

ନୂଆଦିଲ୍ଲୀ,୯।୮ : ଗତ ଏକ ମାସ ଧରି ଟମାଟୋର ମୂଲ୍ୟ ଲୋକଙ୍କ ବଜେଟକୁ ବିଗାଡ଼ି ଦେଇଛି। ଟମାଟୋ ମୂଲ୍ୟ ବର୍ତ୍ତମାନ କିଲୋଗ୍ରାମ ପିଛା ୨୦୦ଟଙ୍କାରେ ସ୍ଥିର ରହିଛି। କିନ୍ତୁ ପିଆଜ ଦର ବୃଦ୍ଧି ଯୋଗୁ ଏବେ ଲୁହ ବୋହିବା ଆରମ୍ଭ ହୋଇଛି। ପିଆଜ ହଠାତ କିଲୋଗ୍ରାମ ପିଛା ୩୦ ଟଙ୍କାରୁ ୮୦ ଟଙ୍କାରେ ପହଞ୍ଚିଛି। ବଜାର ବିଶେଷଜ୍ଞଙ୍କ ଅନୁସାରେ ଅଗଷ୍ଟ ୧୫ ସୁଦ୍ଧା ପିଆଜ ଦାମ କିଲୋଗ୍ରମା ପିଛା ୧୦୦ ଟଙ୍କା ଅତିକ୍ରମ କରିବ। ଏହା ବ୍ୟତୀତ କଞ୍ଚା ଲଙ୍କା, ଧନିଆ ପତ୍ର ଇତ୍ୟାଦି ମୂଲ୍ୟ ମଧ୍ୟ ବଢ଼ିବାରେ ଲାଗିଛି। ବର୍ତ୍ତମାନ ପନିପରିବା କିଣିବା ସାଧାରଣ ଲୋକଙ୍କ ବଜେଟ ବାହାରକୁ ଚାଲି ଯାଇଛି।

ଏହା କ୍ୟାପସିକମ ଦାମ କିଲୋଗ୍ରାମ ପିଛା ୧୫୦ ଟଙ୍କାରୁ ଅଧିକ ରହିଛି। କୁହାଯାଉଛି ପନିପରିବା ଦାମ ଉଭୟ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ମହଙ୍ଗା ରହିବ। ପନିପରିବା ବଜାର ବିଶେଷଜ୍ଞ ସନ୍ଦୀପ ସାଇନି କହିଛନ୍ତି ବର୍ଷାଦିନେ ପ୍ରତିବର୍ଷ ପନିପରିବା ମୂଲ୍ୟ ମହଙ୍ଗା ହୋଇଥାଏ। କିନ୍ତୁ ଏଥର ଅତ୍ୟଧିକ ମହଙ୍ଗା ହୋଇଛି। ଏହାର ପ୍ରତ୍ୟକ୍ଷ କାରଣ ହେଉଛି ବଜାରରେ ପନିପରିବା ଆସିବା ହ୍ରାସ ପାଇଛି । କାରଣ ବର୍ଷା ଋତୁରେ ପନିପରିବା ସୁରକ୍ଷିତ ରହେ ନାହିଁ ।

ବୁଧବାର ଦିଲ୍ଲୀ ସମେତ ପଶ୍ଚିମ ୟୁପିର ଅନେକ ସହରରେ ପିଆଜ ଦର ଆକାଶଛୁଆଁ ହୋଇଥିବାର ଦେଖାଯାଇଛି। ଅନ୍ୟପକ୍ଷରେ ଖୁଚୁରା ବଜାର ବିଷୟରେ କହିବାକୁ ଗଲେ ଦିଲ୍ଲୀର ଗାଜିପୁର ମଣ୍ଡିରେ ପିଆଜ କିଲୋଗ୍ରାମ ପିଛା ୮୦ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଅଗଷ୍ଟ ଶେଷ ହେବା ପରେ ପିଆଜର ମୂଲ୍ୟ ଆହୁରି ବୃଦ୍ଧି ପାଇବ।

Share