କପିଳାସ ଗଲା ନରହନ୍ତା ହାତୀ

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ ଉତ୍ପାତ ଚଳାଇଥିବା ନରହନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍‌ ପରେ ଚିକିତ୍ସା ନିମନ୍ତେ ଢେଙ୍କାନାଳ ଜିଲାର କପିଳାସକୁ ପଠାଯାଇଛି। ସେଠାରେ ହାତୀର ସ୍ବାସ୍ଥ୍ୟ ପରୀକ୍ଷା ସହ ୨୪ ଘଣ୍ଟିଆ ଡାକ୍ତରୀଦଳ ନିରୀକ୍ଷଣ କରିବେ ବୋଲି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ୪ ଦିନ ମଧ୍ୟରେ ୪ ଜଣଙ୍କ ଜୀବନ ନେବା ପରେ ବନ ବିଭାଗ ପକ୍ଷରୁ ହାତୀକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ହାତୀକୁ କାବୁ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା।

ବାରିପଦା ବନଖଣ୍ଡ ଅଧିକାରୀ ଏ.ଉମା ମହେଶଙ୍କ ନେତୃତ୍ୱରେ ବିଭାଗୀୟ ଗାଇଡ୍‌ଲାଇନ ଅନୁଯାୟୀ ହାତୀକୁ କାବୁ କରିବାର ଦିନକ ପୂର୍ବରୁ ବନବିଭାଗର ୧୫ଜଣ କର୍ମଚାରୀଙ୍କୁ ନେଇ ଏକ ଟିମ୍‌ ଗଠନ ସହ ମକ୍‌ଡ୍ରିଲ୍‌ କରାଯାଇଥିଲା। ପରେ ଯୋଜନା ଅନୁଯାୟୀ କାର୍ଯ୍ୟାରମ୍ଭ କରାଯାଇଥିଲା।

ବେତନଟୀ ରେଞ୍ଜ ଅଧୀନ ତସରଡ଼ା ଗଁାରେ ବନ ବିଭାଗ ଟିମ୍‌ ଛକି ରହିଥିଲା। ହାତୀ ଗଁାରେ ପ୍ରବେଶ କରି ଏକ ଦୋକାନ ଘରକୁ ଭାଙ୍ଗିଥିଲା। ସ୍ବତନ୍ତ୍ର ବିଶେଷଜ୍ଞଙ୍କ ଦ୍ୱାରା ହାତୀକୁ ପ୍ରଥମେ ଟ୍ରାଙ୍କୁଲାଇଜ୍‌ କରାଯିବା ପରେ ହାତୀଟି ଦେଢ଼ କି.ମି. ପର୍ଯ୍ୟନ୍ତ ଦୌଡ଼ିବାକୁ ଲାଗିଥିଲା। ଅଧଘଣ୍ଟା ପରେ ପୁନର୍ବାର ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ଟ୍ରାଙ୍କୁଲାଇଜ୍‌ର ୫ଘଣ୍ଟା ପରେ ମାହୁନ୍ତ ଓ ଡାକ୍ତରୀଦଳ ଉପସ୍ଥିତିରେ ହାତୀକୁ ଜେସିବି ସାହାଯ୍ୟରେ ଟ୍ରକ୍‌ରେ ଲଦାଯାଇଥିଲା। ପରେ ଟ୍ରକ୍‌ ଯୋଗେ କପିଳାସ ପଠାଯାଇଛି। ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ପୋଲିସ କର୍ମଚାରୀମାନେ ମୁତୟନ ହୋଇଥିଲେ।

Share