ଦର୍ପଣ ଭାଙ୍ଗୁଥିବା ମାଙ୍କଡ଼ ଧରାପଡ଼ିଲା: ଗ୍ରାମବାସୀ ଆଶ୍ୱସ୍ତ

କଣ୍ଟାପଡ଼ା,୧୩।୧୦(ସୁରନାରାୟଣ ସାହୁ): ଗତ କିଛି ଦିନହେଲା କଟକ ଜିଲା ବାଗଲପୁର ପଞ୍ଚାୟତର କୁଅଁରପୁର  ଗ୍ରାମରେ ଉତ୍ପାତ  କରୁଥିବା ଏକ ଅଣ୍ଡିରା ମାଙ୍କଡ ଧରାପଡିଛି। ରବିବାର କଟକ ଗୋପାଳପୁର ବନବିଭାଗ ଏବଂ ନନ୍ଦନକାନନ ଟ୍ରାଙ୍କୁଲାଇଜର ଟିମ୍‌ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ କରି କାବୁ କରିଥିଲା। ମାଙ୍କଡ଼ ଧରାପଡିବା ପରେ ଗ୍ରାମବାସୀ ଆଶ୍ୱସ୍ତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ବାଗଲପୁର ପଞ୍ଚାୟତ କୁଅଁରପୁର ଗ୍ରାମ ଦେଉଳି ସାହିରେ ଗତ କିଛିଦିନ ହେଲା ଏକ ଅଣ୍ଡିରା ମାଙ୍କଡ ଲୋକଙ୍କ ଘରେ ପଶି ଆସବାବପତ୍ର ନଷ୍ଟ କରିବା ସହ ବିଶେଷ କରି ଡ୍ରେସିଂ ଟେବୁଲର ଦର୍ପଣ ଭାଙ୍ଗୁଥିଲା। କେବଳ ଏତିକି ନୁହେଁ ଗଁାଦାଣ୍ଡରେ ରଖାଯାଉଥିବା ବାଇକ୍‌ ମିରର ଭାଙ୍ଗି ଦେଉଥିଲା । ଫଳରେ ଗ୍ରାମବାସୀ ଦାଣ୍ଡରେ ରଖୁଥିବା ବାଇକ୍‌ ମିରରକୁ କପଡା ଘୋଡ଼ାଇ ରଖୁଥିଲେ।

ଆଶ୍ଚର୍ଯ୍ୟର କଥା ମାଙ୍କଡଟି ଏପର୍ଯ୍ୟନ୍ତ କାହାରିକୁ କ୍ଷତାକ୍ତ କରି ନ ଥିଲା। ହେଲେ ନିଜ ପ୍ରତିବିମ୍ବ ଦେଖି ବାଇକ୍‌ ମିରର ଓ ଘର ଭିତରେ ପଶି ଦର୍ପଣ ଭାଙ୍ଗି ଆତଙ୍କ ସୃଷ୍ଟି କରୁଥିଲା

ଗ୍ରାମବାସୀଙ୍କଠାରୁ ଖବରପାଇ ଗୁରୁବାର ନନ୍ଦନକାନନର ଏକ ୭ ଜଣିଆ ଟ୍ରାଙ୍କୁଲାଇଜର୍‌ ଟିମ୍‌ ଗୋପାଳପୁର ବନବିଭାଗ ଅଧିକାରୀ ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଆସି ମାଙ୍କଡକୁ ଅପରାହ୍ନରେ ଟ୍ରାଙ୍କୁଲାଇଜ କରିଥିଲା। ହେଲେ ମାଙ୍କଡଟି ନିକଟସ୍ଥ ବଣ ଭିତରକୁ ଛୁ ମାରଥିଲା। ଅନ୍ଧାର ହୋଇଯିବାରୁ ବନବିଭାଗ ଟିମ୍‌ ନିରାଶ ହୋଇ ଫେରି ଥିଲା। ସେହି ଦିନଠାରୁ ବନବିଭାଗ ଟିମ୍‌ ଓ ଟ୍ରଙ୍କୁଲାଇଜର ଟିମ୍‌ ମାଙ୍କଡକୁ ଧରିବା ପାଇଁ କୁଅଁରପୁରରେ ଡେରା ପକାଇଥିଲେ। ରବିବାର ସକାଳୁ ମାଙ୍କଡଟି ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା ଝରକା କାଚକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଟ୍ରଙ୍କୁଲାଇଜ କରାଯାଇଥିଲା।

ଫଳରେ ମାଙ୍କଡଟି ୧୦୦ ମିଟର ଦୂରରେ ନିସ୍ତେଜ ହୋଇ ପଡି ଯିବାପରେ ବନବିଭାଗ ଟିମ୍‌ କାବୁ କରି ନେଇଯାଇଥିଲା। ମାଙ୍କଡଟିକୁ ଚିକିତ୍ସା ପରେ ଚନ୍ଦକା ଅଭୟାରଣ୍ୟରେ ଛାଡି ଦିଆଯାଇଥିବା ବନାଧିକାରୀ ବେହେରା ସୂଚନା ଦେଇଛନ୍ତି।

ସିଟି ବନଖଣ୍ଡ ଅଧିକାରୀ ଅଜିତ କୁମାର ଶତପଥୀଙ୍କ ନିର୍ଦ୍ଦେଶ ଓ ଏସିଏଫ୍‌ ସ୍ବାଗତିକା ସାହୁଙ୍କୁ ତତ୍ତ୍ୱାବଧାନରେ ବନବିଭାଗ କର୍ମଚାରୀ ଧନେଶ୍ୱର ସାହୁ ଫୁଲନଖରା ବନ ବିଭାଗ କର୍ମଚାରୀ ଓ ନନନ୍ଦକାନର ଟ୍ରାଙ୍କୁଲାଇଜର ଏକ୍ସପର୍ଟ ଦୁଷ୍ମନ୍ତ ନାୟକ ଏହି ଅପରେସରକୁ ସଫଳ କରାଇଥିଲେ।

Share