Categories: ଜାତୀୟ

ତିନି ତଲାକ୍‌ ପରେ ଏବେ ’ତଲାକ୍‌-ଇ-ହସନ୍‌’କୁ ନେଇ ଚର୍ଚ୍ଚା, ଏସ୍‌ସିରେ ପିଟିଶନ ଦାଖଲ…

ନୂଆଦିଲ୍ଲୀ, ୪।୫ : ତିନି ତଲାକ୍‌ ପରେ ଏବେ ’ତଲାକ୍‌-ଇ-ହସନ୍‌’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ଜଣେ ମୁଓଲମାନ୍‌ ମହିଳା ସମସ୍ତଙ୍କ ପାଇଁ ଆଇନ ବ୍ୟବସ୍ଥା ହେବାର ଆବଶ୍ୟକତା ଦର୍ଶାଇ ସୁପ୍ରିମ୍‌କୋର୍ଟ(ଏସ୍‌ସି)ରେ ଏକ ପିଟିଶନ ଦାଖଲ କରିଛନ୍ତି। ’ତଲାକ୍‌-ଇ-ହସନ୍‌’ ଏବଂ ଅନ୍ୟ ସମସ୍ତ ପ୍ରକାର “ଏକପାଖିଆ ଅତିରିକ୍ତ ନ୍ୟାୟିକ ତାଲାକ” କୁ ହଟାଇବାକୁ ଏବଂ ଏସବୁକୁ ଅଣସାମ୍ବିଧାନିକ ଘୋଷଣା କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଏତଲାକ୍‌ଗୁଡିକ ଅଯୌକ୍ତିକ, ଏକତରଫା ଏବଂ ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ପିଟିଶନରେ ଉଲ୍ଲେଖ କରାଯାଇଛି।

ଗାଜିଆବାଦ ବାସିନ୍ଦା ବେନଜିର ହିନାଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ପିଟିଶନରେ ସମସ୍ତ ସାଧାରଣ ନାଗରିକଙ୍କ ପାଇଁ ସମାନ ତଲାକ୍‌ ନିର୍ଦ୍ଦେଶନାମା ପ୍ରସ୍ତୁତ କରିବା ଲାଗି କେନ୍ଦ୍ରସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ସେ କହିଛନ୍ତି ଯେ ଏକପାଖିଆ ତଲାକ୍‌-ଇ-ହସନ୍‌ର ଶିକାର ହୋଇଛନ୍ତି। ସେ କହିଛନ୍ତି ଯେ, ପୋଲିସ ଏବଂ ଅଧିକାରୀମାନେ ତାଙ୍କୁ କହିଛନ୍ତି ଯେ ଶରିୟତ୍‌ ଅନୁଯାୟୀ ତଲାକ୍‌-ଇ-ହସନ୍‌ ଅନୁମତିପ୍ରାପ୍ତ।

ଶରିୟତ୍‌ ଆଇନ୍‌ ଅନୁସାରେ ତଲାକ୍‌-ଇ-ହସନ୍‌ରେ, ତିନିମାସ ମଧ୍ୟରେ ମାସକୁ ଥରେ ତଲାକ୍‌ କୁହାଯାଏ। ତୃତୀୟ ମାସରେ ତୃତୀୟ ଥର ପାଇଁ ତଲାକ୍‌ କହିବା ପରେ ତଲାକ୍‌କୁ ଆନୁଷ୍ଠାନିକ ଭାବେ ସ୍ବୀକୃତି ମିଳିଥାଏ। ସୁପ୍ରିମକୋର୍ଟ ତଲାକ୍‌-ଇ-ହାସନ୍‌ ଏବଂ ଅନ୍ୟାନ୍ୟ ତଲାକ୍‌କୁ ଅଣସାମ୍ବିଧାନିକ ବୋଲି ଘୋଷଣା କରିବାକୁ ପିଟିଶନ୍‌ରେ ସେ ଅନୁରୋଧ କରିଛନ୍ତି।

ଆଇନଜୀବୀ ଅଶ୍ୱିନୀ କୁମାର ଦୁବେଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ପିଟିଶନରେ କୁହାଯାଇଛି ଯେ ମୁସଲିମ ବ୍ୟକ୍ତିଗତ ଆଇନ (ଶରିୟତ୍‌) ଆବେଦନ ଅଧିନିୟମ, ୧୯୩୭ରେ ଏକ ଭୁଲ ଧାରଣା ରହିଛି ଯେ ଏହି ଆଇନ ତଲାକ୍‌-ଇ-ହାସନ୍‌ ଏବଂ ପୂର୍ବ-ଅତିରିକ୍ତ ଶରିୟତ୍‌ ନ୍ୟାୟିକ ତଲାକ୍‌ ଦ୍ୱାରା ମୁସଲମାନ ମହିଳାମାନଙ୍କର ମୌଳିକ ଅଧିକାର କ୍ଷେତ୍‌ରରେ ଅତ୍ୟନ୍ତ କ୍ଷତିକାରକ ଏବଂ ଭାରତର ସମ୍ବିଧାନର ଧାରା ୧୪, ୧୫, ୨୧, ୨୫ ଏବଂ ନାଗରିକ ତଥା ମାନବିକ ଅଧିକାରର ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରୁଛି।

ଏହି ପିଟିଶନରେ ଦର୍ଶାଯାଇଛି ଯେ ବହୁ ଇସଲାମିକ୍‌ ରାଷ୍ଟ୍ର ଏହାକୁ ନିଷିଦ୍ଧ କରିଥିବାବେଳେ ଭାରତୀୟ ସମାଜରେ ଏହି ଶରିୟତ୍‌ ଆଇନ ଯୋଗୁ ମୁସଲମାନ ମହିଳାମାନେ ହଇରାଣ ହେଉଛନ୍ତି।

Share