ୟୁକ୍ରେନ୍‌ ପରେ ଏବେ ଫିନଲାଣ୍ଡ୍‌ ଉପରେ ପୁଟିନ୍‌ଙ୍କ ନଜର…

ମସ୍କୋ, ୧୦।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫିନଲାଣ୍ଡ ନାଟୋ ଦେଶଗୁଡ଼ିକର ନିକଟତର ହେବାରେ ଲାଗିଛି। ଫଳରେ ୟୁକ୍ରେନ୍‌ ପରେ ଏବେ ଫିନଲାଣ୍ଡ୍‌ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ନଜର ରହିଛି। ଏହାର ପ୍ରଭାବ ମଧ୍ୟ ପଡ଼ିବା ଆରମ୍ଭ ହୋଇଗଲାଣି।

ଖୁବ୍‌ ଶୀଘ୍ର ରୁଷିଆ ଫିନଲାଣ୍ଡ୍‌ ଉପରେ ଆକ୍ରମଣ କରିବାର ଆଶଙ୍କା କରାଯାଉଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଫିନଲାଣ୍ଡ ସଂସଦକୁ ସମ୍ବୋଧିତ କରୁଥିବା ସମୟରେ ଫିନଲାଣ୍ଡ ଉପରେ ସାଇବର ଆକ୍ରମଣ ହୋଇଛି। ଏହା ସହିତ ଆକାଶ ମାର୍ଗରେ ଉଲ୍ଲଂଘନ ମାମଲା ମଧ୍ୟ ସାମ୍ନାକୁ ଆସିଛି।

ଫିନଲାଣ୍ଡର ପ୍ରତିରକ୍ଷା ମନ୍ତ୍ରଣାଳୟ ଟୁଇଟ୍‌ କରି କହିଛି ଯେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ପ୍ରତିରକ୍ଷା ମନ୍ତ୍ରଣାଳୟର ୱେବସାଇଟ ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣ ଖବର ପାଇବା ପରେ ୱେବସାଇଟ ବନ୍ଦ ହୋଇଯାଇଥିଲା। ସମଗ୍ର ଘଟଣାର ତଦନ୍ତ ଚାଲିଛି। ଘଟଣାର ତଦନ୍ତ ପରେ ୱେବସାଇଟ ପୁଣି କାର୍ଯ୍ୟ ଆରମ୍ଭ କରିଛି।

ସରକାରୀ ୱେବସାଇଟରେ ସାଇବର ଆକ୍ରମଣ ପୂର୍ବରୁ ଫିନଲାଣ୍ଡ ରିପୋର୍ଟ କରିଛି ଯେ ରୁଷିର ଏକ ଆଇଏଲ୍‌-୯୬-୩୦୦ ତିନି ମିନିଟ ପାଇଁ ଆକାଶ ସୀମାକୁ ଉଲ୍ଲଂଘନ କରିଛି। ଫିନଲାଣ୍ଡର ଆକାଶ ମାର୍ଗରେ ପହଞ୍ଚିବାର କିଛି ସମୟ ପରେ ବିମାନଟି ଫେରି ଯାଇଛି।

ଫିନଲାଣ୍ଡ ରୁଷିଆ ମଧ୍ୟରେ ୧୩୦୦ କିଲୋମିଟର ସୀମା ରହିଛି। ଫିନଲାଣ୍ଡ ୟୁକ୍ରେନ ସହିତ ବନ୍ଧୁ ଭାବେ ଛିଡା ହୋଇଛି। ଆଗାମୀ କିଛି ମାସ ମଧ୍ୟରେ ଫିନଲାଣ୍ଡ ନାଟୋ ଦେଶମାନଙ୍କ ସହିତ ଯୋଗ ଦେଇପାରେ। ଫିନଲାଣ୍ଡ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ପୁଟିନ୍‌ କ୍ରୋଧ ପ୍ରକାଶ କରି ସାଇବର ଆକ୍ରମଣ ଏବଂ ବାୟୁସୀମା ଉଲ୍ଲଂଘନ କରାଇ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ବିଶେଷଜ୍ଞମାନଙ୍କ ଅନୁସାରେ ଫିନଲାଣ୍ଡ ନାଟୋ ଦେଶଗୁଡିକର ନିକଟତର ହେବା ଦ୍ୱାରା ରୁଷିଆର ପରବର୍ତ୍ତୀ ଶିକାର ହୋଇପାରେ।

Share