Advertisement

ଦେଓମାଳି ପର୍ଯ୍ୟଟନସ୍ଥଳୀ ପରିଦର୍ଶନରେ ଯାଇ କୁହୁଡ଼ିରେ ଫସିଲେ ଉପ ମୁଖ୍ୟମନ୍ତ୍ରୀ ପରିଡ଼ା,ପରେ…

ପଟ୍ଟାଙ୍ଗି,୧୯।୧୨(ଶରତ ଧଳ): କୋରାପୁଟ ଜିଲା ଗସ୍ତରେ ଆସିଥିବା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଟ୍ଟାଙ୍ଗି ବ୍ଲକ ତଥା କୋଟିଆ ପଞ୍ଚାୟତ ଅଧୀନରେ ରହିଥିବା ଦେଓମାଳି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବାକୁ ଯାଇ ଘନ କୁହୁଡ଼ିରେ ଫସି ଯାଇଛନ୍ତି। ଏ ନେଇ ତାଙ୍କୁ ନାକେଦମ ହେବାକୁ ପଡ଼ିଛି।
ସୂଚନାମୁତାବକ, ଉପ ମୁଖ୍ୟମନ୍ତ୍ରୀ ପରିଡ଼ା ଜିଲାପାଳ ଭି ର୍କିତ୍ତି ୱାସନ, ପର୍ଯ୍ୟଟନ ସଚିବ ବଲବନ୍ତ ସିଂ,  ଆରକ୍ଷୀ ଅଧିକ୍ଷକ ରୋହିତ୍‌ ଭର୍ମାଙ୍କ ସହ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୁକୁ ଭତ୍ରା ଓ ଜିଲାର ଅନ୍ୟ ପଦାଧିକାରୀ ପ୍ରମୁଖ ଉକ୍ତ ପର୍ଯ୍ୟଟନସ୍ଥଳୀ ଗସ୍ତ କରି ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରି ପାରିପାଶର୍‌ବିକ ସ୍ଥିତି ଅନୁଧ୍ୟାନ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଘନ କୁହୁଡ଼ି ସାଙ୍ଗକୁ ମେଘ ଢାଙ୍ଗି ରହିଥିବା ଯୋଗୁ କିଛି ମଧ୍ୟ ଉପଭୋଗ କରି ପାରି ନ ଥିଲେ । ଯାହାଫଳରେ ଦେଓମାଳିରୁ କୋରାପୁଟ ଅଭିମୁଖେ ଫେରି ଆସିଲେ ମଧ୍ୟ କୁହୁଡ଼ିର ପ୍ରଭାବ ଯୋଗୁ ରାସ୍ତା ଦେଖା ଯାଇ ନ ଥିଲା । ଯାହାଦ୍ୱାରା କି ଉପ ମୁଖ୍ୟମନ୍ତ୍ରୀ ପରିଡ଼ାଙ୍କ ଗାଡ଼ି ସହ ସମସ୍ତ ପଦାଧିକାରୀଙ୍କ ଗାଡ଼ି ଦୀର୍ଘ ସମୟ ଧରି ଫସିରହିଥିଲା । ଯାହାକି ସମସ୍ତଙ୍କୁ ନାକେ ଦମ ହେବାକୁ ପଡିଥିଲା । ଶେଷରେ କୁହୁଡ଼ି କିଛି ମାତ୍ରାରେ କମିବା ପରେ ଫସି ରହିଥିବାସ୍ଥାନରୁ ସମସ୍ତେ ବାହାରି କୁନ୍ଦୁଲି ସାପ୍ତାହିକ ହାଟରେ ୮ଟା ୧୫ ମିନିଟରେ ପହଞ୍ଚି କୋରାପୁଟ ଅଭିମୁଖେ ଯାଇଥିଲେ । ଉପ ମୁଖ୍ୟମନ୍ତ୍ରୀ ପରିଡ଼ାଙ୍କ ଏହି ଗସ୍ତ ସନ୍ଧ୍ୟା ୪ଟା ୪୫ମିନିଟ ପରେ ହୋଇଥିବା ବେଳେ ଉକ୍ତ ପର୍ଯ୍ୟଟନସ୍ଥଳୀରେ ୫ଟା ୪୫ମିନିଟ ପହଞ୍ଚିଲେ। ଯେଉଁଥି ପାଇଁ କି ଏହିପରି ପରିସ୍ଥିତି ସମୁଖିନ ହେବାକୁ ପଡିଥିଲା । ଏହି
ସମୟରେ ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ, ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, ଥାନାଧିକାରୀ ଚତୁର୍ଭୁଜ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।
ଏଠାରେ ସୂଚନା ଥାଉକି, ଦେଓମାଳି ପର୍ଯ୍ୟଟନସ୍ଥଳୀରେ କୁହୁଡ଼ି ଢାଙ୍ଗିହୋଇ ଯାଇଥିବାରୁ ଅନେକ ପର୍ଯ୍ୟଟକମାନେ ବୁକ କରିଥିବା କଟେଜକୁ ଖାଲିକରି ଫେରି ଆସିଥିବା ଜଣାପଡ଼ିଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel