Advertisement

୭ କିମି ଚାଲିଚାଲି ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଛାତ୍ର

କେନ୍ଦୁଝର,୩ା୮(ସ୍ବ.ପ୍ର.): ସଦର ବ୍ଲକ ରାଙ୍କିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ବୁଧବାର ଦଶମ ଶ୍ରେଣୀ ଛାତ୍ରମାନେ ୭ କିଲୋମିଟର ରାସ୍ତା ଚାଲଚାଲି ଆସି ଜିଲାପାଳଙ୍କ ଅଫିସ ଘେରାଉ କରି ସେମାନଙ୍କ ସମସ୍ୟା ଜଣାଇଛନ୍ତି।

ଖାଦ୍ୟ,ପାନୀୟ,ପୋଷାକ ଯୋଗାଣ ତଥା ହଷ୍ଟେଲର ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଜଣାଇଥିଲେ। ନିୟମିତ ବିଦ୍ୟାଳୟ ତଦାରଖ ହେଉଥିଲେ ହେଁ ପିଲାମାନଙ୍କୁ ଉପଯୁକ୍ତ ସୁବିଧା ମିଳୁନାହିଁ ବୋଲି ଅଭିଯୋଗ କରିଥିଲେ। ଜିଲାପାଳଙ୍କ ସହ ଛାତ୍ରମାନେ ଆଲୋଚନା କରି ନିଜ ସମସ୍ୟା ଜଣାଇବା ପରେ ଫେରି ଆସିଥିଲେ। ଦଶମ ଶ୍ରେଣୀ ଅନ୍ତେବାସୀ ଏଥିପାଇଁ ବିଦ୍ୟାଳୟ ପରିଚାଳନାକୁ ଦାୟୀ କରିବା ସହ ଅଧ୍ୟକ୍ଷା ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରିଥିଲେ। ଖାଦ୍ୟ ମେନୁ ଚାର୍ଟ ଅନୁଯାୟୀ ଦିଆଯାଉନାହିଁ ଓ ଅଧିକାଂଶ ଦିନ ପଖାଳ ଏବଂ ଆଳୁଭଜା ଦିଆଯାଉଛି ବୋଲିି ଅଭିଯୋଗ କରିଥିଲେ। ଜେନେରେଟର ଖରାପ ହୋଇଥିଲେ ହେଁ ମରାମତି କରାଯାଉ ନ ଥିବାରୁ ଅନ୍ତେବାସୀ ଶୌଚ ପାଇଁ ହଇରାଣ ହେଉଛନ୍ତି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନିୟମିତ ବ୍ୟବଧାନରେ ଦିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି। ଜିଲାପାଳ ଅନ୍ତେବାସୀଙ୍କ ଅଭିଯୋଗ ଆଧାରରେ ପ୍ରକଳ୍ପ ପ୍ରଶାସକ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ତପନ କୁମାର ନାୟକ ଏବଂ ଜିଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାଶ୍‌ଙ୍କୁ ନେଇ ଏକ ତଦନ୍ତ କମିଟି କରିଛନ୍ତି। ତଦନ୍ତ ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବ। ତେବେ ପିଲାମାନଙ୍କ ଏଭଳି ଅଭିଯୋଗକୁ ଅଧ୍ୟକ୍ଷା ସୁନୀତା ପଟ୍ଟନାୟକ ଅସ୍ବୀକାର କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share