ପଶ୍ଚିମବଙ୍ଗ ପରେ ଝାଡ଼ଖଣ୍ଡରେ ବଢ଼ିଲା ଲକ୍‌ଡାଉନ

ରାଞ୍ଚି,୨୭।୬: ସାରା ଦେଶରେ କରୋନା ସଙ୍କଟ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନିୟନ୍ତ୍ରଣାଧିନ ହୋଇପାରୁ ନ ଥିବାରୁ ଏହାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟରେ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିଯିବାକୁ ନିଷ୍ପତ୍ତି ନିଆଯାଉଛି। ଇତିମଧ୍ୟରେ ପଶ୍ଚିମବଙ୍ଗ ପରେ ଏବେ ଝାଡ଼ଖଣ୍ଡ ସରକାର ରାଜ୍ୟରେ ଲକ୍‌ଡାଉନ ଅବଧି ବୃଦ୍ଦି କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜ୍ୟରେ ଜୁଲାଇ ୩୧ଯାଏଁ ଲକ୍‌ଡାଉନ ବୃଦ୍ଧି କରିଛନ୍ତି। ପୂର୍ବପରି ଏବେ ବି ରାଜ୍ୟରେ ସମସ୍ତ ପ୍ରତିବନ୍ଧକ ଜାରି ରହିବ। ଧାର୍ମିକ ସ୍ଥଳରେ ଲୋକମାନଙ୍କୁ ଏକତ୍ରିତ ହେବାକୁ ବାରଣ କରାଯାଇଥିବା ବେଳେ ସାମାଜିକ, ରାଜନୈତିକ ଆଦି ସମାବେଶ ଉପରେ କଟକଣା ବଳବତ୍ତର ରଖାଯାଇଛି। ସେହିପରି ରାଜ୍ୟ ବାହାରୁ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ ସହ ବସ୍‌ ଚଳାଚଳ, ସପିଂ ମଲ୍‌, ସେଲୁନ, ପାର୍ଲର ସ୍କୁଲ, କଲେଜ ସବୁ ପୂର୍ବପରି ବନ୍ଦ ରହିବ। କେବଳ ଜରୁରୀ ସେବାକୁ ଛାଡିଦେଲେ ରାତି ୯ଟାରୁ ସକାଳ ୫ଟା ଯାଏଁ ଲୋକଙ୍କ ଯାତାୟତ ଉପରେ କଟକଣା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। କରୋନା ସହ ସଂଘର୍ଷରେ ଜନତାଙ୍କ ସହଯୋଗ ଯୋଗୁ ରାଜ୍ୟସରକାର ଅପେକ୍ଷାଠାରୁ ଅଧିକ ସଫଳତା ପାଇଛନ୍ତି। କିନ୍ତୁ ସଂଗ୍ରାମ ଏବେ ଜାରି ରହିଛି। ତେବେ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସୋରେନ କହିଛନ୍ତି। ତେବେ ଲକ୍‌ଡାଉନ ସମୟରେ କଟକଣା ଉପରେ ଲୋକଙ୍କୁ କିଛି ରିହାତି ଦିଆଯିବ।

Share