ନୂଆଦିଲ୍ଲୀ, ୪।୬ : ଭାରତୀୟ ଚା’ ରପ୍ତାନିକାରୀ ସଂଘ (ଆଇଟିଈଏ) ର ସଭାପତି ଅଶୂଂମାନ କାନୋରିଆ କହିଛନ୍ତି ଯେ କୀଟନାଶକ ଏବଂ ରାସାୟନିକ ପଦାର୍ଥର ଧାର୍ଯ୍ୟ ସୀମାଠାରୁ ଅଧିକ ଥିବାରୁ ଅନ୍ତର୍ଜାତୀୟ ତଥା ଘରୋଇ କ୍ରେତାମାନେ ଭାରତର ଚା’କୁ ଫେରସ୍ତ କରିଛନ୍ତି। ବିଶ୍ୱର ଚା’ ବଜାରରେ ଶ୍ରୀଲଙ୍କାର ସ୍ଥିତି ଦୁର୍ବଳ ହୋଇଥିବାରୁ ଟି ବୋର୍ଡ ଅଫ ଇଣ୍ଡିଆ ରପ୍ତାନି ବୃଦ୍ଧି କରିବାକୁ ଚାହୁଁଛି। ମାତ୍ର ଭାରତୀୟ ଚା’କୁ ବହୁ ଦେଶ ସୁରକ୍ଷା କାରଣରୁ ଫେରାଇ ଦେଇଛନ୍ତି।
କାନୋରିଆ ପିଟିଆଇକୁ କହିଛନ୍ତି ଯେ ଦେଶରେ ବିକ୍ରି ହେଉଥିବା ସମସ୍ତ ଚା ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆର ନିୟମ ଅନୁଯାୟୀ ହେବା ଉଚିତ। ତଥାପି, ଅଧିକାଂଶ କ୍ରେତା ଯେଉଁ ଚା’ କିଣୁଛନ୍ତି ସେଥିରେ ରାସାୟନିକ ପଦାର୍ଥ ଅଧିକ ରହୁଛି। ଚା’ରପ୍ତାନୀରେ ବାଧା ସୃଷ୍ଟି ହେବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।
କାନୋରିଆ ସୂଚାଇ ଦେଇଛନ୍ତି ଯେ ଆଇନ ଅନୁସରଣ କରିବା ପରିବର୍ତ୍ତେ ଚା’ ଉତ୍ପାଦନକାରୀ ସରକାରଙ୍କୁ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆର ନିୟମକୁ ଅଧିକ ଉଦାରବାଦୀ କରିବାକୁ ଅନୁରୋଧ କରୁଛନ୍ତି କିନ୍ତୁ ଏହି ପାନୀୟକୁ ସ୍ବାସ୍ଥ୍ୟ ପାନୀୟ ଭାବରେ ବିବେଚନା କରାଯାଉଥିବାରୁ ଏହା ଏକ ଭୁଲ ସଙ୍କେତ ଦେଉଛି।
କାନୋରିଆ କହିଛନ୍ତି ଯେ ଅନେକ ଦେଶ ଚା ପାଇଁ କଡା ନିୟମ ପାଳନ କରୁଛନ୍ତି। ଅଧିକାଂଶ ଦେଶ ୟୁରୋପୀୟ ରାଷ୍ଟ୍ର ସମୁହର ମାନାଙ୍କ ଅନୁସରଣ କରନ୍ତି ଯାହା ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆର ନିୟମାବଳୀଠାରୁ ଅଧିକ କଠୋର। ୨୦୨୧ ରେ ଭାରତ ୧୯୫.୯୦ ମିଲିୟନ କିଲୋଗ୍ରାମ ଚା ’ରପ୍ତାନି କରିଥିଲା। ଭାରତୀୟ ଚା’ର ମୁଖ୍ୟ କ୍ରେତାମାନେ ହେଉଛନ୍ତି କମନୱେଲଥ ଅଫ ଇଣ୍ଡିପେଣ୍ଡେଣ୍ଟ ଷ୍ଟେଟ୍ସ (ସିଏସଏସ) ଦେଶ ଏବଂ ଇରାନ। ଚଳିତ ବର୍ଷ ୩୦୦ ନିୟୁତ କିଲୋଗ୍ରାମ ଚା’ ରପ୍ତାନି କରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି। ୨୦୨୧ରେ ଭାରତ ୫,୨୪୬.୮୯ କୋଟି ଟଙ୍କା ମୂଲ୍ୟର ଚା ରପ୍ତାନି କରିଛି।
ଏହା ପୂର୍ବରୁ ତୁର୍କୀ ୫୬୮୭୭ ଟନ ଭାରତୀୟ ଗହମ ଫେରସ୍ତ କରିଛି। ଫାଇଟୋସାନିଟାରୀ ଚିନ୍ତାଧାରା ଆଧାରରେ ତୁର୍କୀ ଭାରତୀୟ ଗହମ ପରିବହନକୁ ପ୍ରତ୍ୟାଖ୍ୟାନ କରି ଏହାକୁ ଭାରତକୁ ପଠାଇ ଦେଇଛି। ଭାରତୀୟ ଗହମରେ ରୁବେଲା ଭୂତାଣୁ ମିଳିବା ପରେ ତୁର୍କୀ ଏହାକୁ ଫେରସ୍ତ କରିଥିଲା।