ବୁଦାପେଷ୍ଟ,୨୮।୮: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ୍ରେ ସ୍ବର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରା ତ୍ରିରଙ୍ଗାକୁ ସମ୍ମାନ ଦେଇ ସମସ୍ତଙ୍କ ହୃଦୟ ଜିତିଛନ୍ତି। ବୁଦାପେଷ୍ଟରେ ଆୟୋଜିତ ଇଭେଣ୍ଟରେ ନୀରଜ ଚୋପ୍ରା ୮୮.୧୭ ମିଟର ଶ୍ରେଷ୍ଠ ଥ୍ରୋ ସହିତ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ଏପରି କରିଥିବା ପ୍ରଥମ ଭାରତୀୟ। ଐତିହାସିକ ପଦକ ଜିତିବା ପରେ ନୀରଜ ତ୍ରିରଙ୍ଗା ସହିତ ଫଟୋ ଉଠାଇଥିଲେ। ଏହି ସମୟରେ ସେ ତାଙ୍କ ସହ ପାକିସ୍ତାନର ଆଥଲେଟ ଅର୍ଶଦ ନାଦିମଙ୍କୁ ମଧ୍ୟ ଡାକିଥିଲେ ଏବଂ ତାଙ୍କର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରାଯାଇଥିଲା। ବର୍ତ୍ତମାନ ସେ ତ୍ରିରଙ୍ଗା ପ୍ରତି ସମ୍ମାନ ପ୍ରଦର୍ଶନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।
ସ୍ବର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କ ନିକଟକୁ ହଙ୍ଗେରୀର ଜଣେ ପ୍ରଶଂସକ ଯାଇଥିଲେ। ଏହି ପ୍ରଶଂସକ ବହୁତ ଭଲ ହିନ୍ଦୀ କହୁଥିଲେ ଏବଂ ନୀରଜଙ୍କୁ ଅଟୋଗ୍ରାଫ ମାଗିଥିଲେ। ନୀରଜ ତୁରନ୍ତ ଏଥିରେ ରାଜି ହୋଇଥିଲେ, କିନ୍ତୁ ମହିଳା ପ୍ରଶଂସକ ଅଟୋଗ୍ରାଫ ପାଇଁ ତ୍ରିରଙ୍ଗା ଦେଖାଇଥିଲେ, ନୀରଜ ଭାରତୀୟ ପତାକାରେ ଅଟୋଗ୍ରାଫ୍ ଦେବାକୁ ମନା କରିଦେଇଥିଲେ। ତା’ପରେ ସେ ମହିଳାଙ୍କ ଟି-ଶର୍ଟରେ ଅଟୋଗ୍ରାଫ ଦେଇଥିଲେ। ଏପରି କରି ନୀରଜ ସମସ୍ତଙ୍କ ହୃଦୟ ଜିତିଥିଲେ।