Categories: ଫୁରସତ

ପିଜା ପାଇଁ ‘ଆଫ୍‌ଟର ଲାଇଫ୍‌ ପେ’ ବିକଳ୍ପ

ୱେଲିଂଟନ: ଅନ୍‌ଲାଇନ୍‌ରେ ଜିନିଷ କିଣିବାବେଳେ ବର୍ତ୍ତମାନ ସେଥିରେ ‘ବାଏ ନାଓ ପେ ଲ୍ୟାଟର’ ଭଳି ବିକଳ୍ପ ରହିଛି। ଲୋକେ ଏହି ଫାଇଦା ଉଠାଇ ବହୁତ ଜିନିଷ କିଣି ପରେ ଟଙ୍କା ଦେଉଛନ୍ତି। ଏହା ମଧ୍ୟ ସେମାନଙ୍କୁ ସୁବିଧା ହେଉଛି। ତେବେ ଏପରି ଏକ ରେଷ୍ଟୁରାଣ୍ଟ ଅଛି, ଯିଏକି ତା’ ଅଜବ ଅଫର ପାଇଁ ଚର୍ଚ୍ଚାକୁ ଆସିଛି। ରିପୋର୍ଟ ମୁତାବକ, ନ୍ୟୁଜିଲାଣ୍ଡର ଏକ ପିଜା ଚେନ୍‌ ପିଜା ଅର୍ଡର ପରେ ଟଙ୍କା ଦେବାକୁ କିଛି ଅଜବ ନିୟମ ରଖିଛି, ଯେଉଁଥିରେ ଲେଖାହୋଇଛି ‘ଆଫ୍‌ଟର ଲାଇଫ୍‌ ପେ’। ଏକ ୱେବ୍‌ସାଇଟ୍‌ ଅନୁସାରେ କେବଳ ୬୬୬ ଗ୍ରାହକଙ୍କ ପାଇଁ ଏହି ସୁବିଧା ରହିଛି। ଏଥିରେ ଗ୍ରାହକଙ୍କୁ ଏଗ୍ରିମେଣ୍ଟରେ ଦସ୍ତଖତ କରିବାକୁ ହେବ, ଯେଉଁଥିରେ ସେ ପିଜାର ଦାମ୍‌ ମରିବା ପରେ ମଧ୍ୟ ଦେଇପାରିବେ। ଏହା ଶୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଏପରି କରିବା ପଛରେ ‘ବାଏ ନାଓ ପେ ଲ୍ୟାଟର’ ଭଳି ସମସ୍ୟାରୁ ବଞ୍ଚିହେବ ବୋଲି ଜଣାପଡ଼ିଛି। ସେହି ରେଷ୍ଟୁରାଣ୍ଟର ସିଇଓ ବେନ୍‌ କୁମିଂ କହିଛନ୍ତି, ଏହି ଏଗ୍ରିମେଣ୍ଟ ଜରିଆରେ ତାଙ୍କ ଘର କାଗଜପତ୍ରରେ କିଛି ବଦଳାଯିବ, ଯେଉଁଥିରେ କି ପିଜାର ମୂଲ୍ୟ ସାମିଲ ରହିବ। ଏଥିରେ କୌଣସି ଅନ୍ୟ ଚାର୍ଜ ଲାଗିବନି। ନ୍ୟୁଜିଲାଣ୍ଡ କଷ୍ଟମର ପ୍ରୋଟେକ୍ସନ ଅଥରିଟି ତାହା ଯାଞ୍ଚକରି ଲୋକଙ୍କୁ ଏକ ଚେତାବନୀ ଦେଇଛି। ସେ କହିଛି କି, ମାଗଣା ପିଜା ଖାଇ ପରେ ଟଙ୍କା ଦେବା ସୁଯୋଗରେ ତାଙ୍କୁ କରଜରେ ବୁଡ଼ିବାକୁ ପଡ଼ିପାରେ। ଏପରି ଯୋଜନା କେବଳ ନ୍ୟୁଜିଲାଣ୍ଡବାସୀଙ୍କ ପାଇଁ ଉପଲବ୍ଧ ରହିଛି। ଏଥିପାଇଁ ସେମାନେ ୱେବ୍‌ସାଇଟ୍‌କୁ ଯାଇ ରେଜିଷ୍ଟ୍ରି କରିପାରିବେ। ବଛାଯାଇଥିବା ଲୋକଙ୍କୁ ତାଙ୍କ ଘର କାଗଜପତ୍ରରେ କିଛି ସଂଶୋଧନ କରାଯାଇ ସେଥିରେ ଦସ୍ତଖତ କରିବାକୁ ହେବ।

Share