Categories: ଜାତୀୟ

ପୁଣି ତେଜିଲା ବିବାଦ, ପଶୁଚର୍ବି ପରେ ଏବେ ତିରୁପତିଙ୍କ ପ୍ରସାଦରୁ ମିଳିଲା ତମାଖୁ!

ଅମରାବତୀ,୨୪।୯: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁଚର୍ବିର ବ୍ୟବହାରକୁ ନେଇ ବିବାଦ ମଧ୍ୟରେ ଆଉ ଜଣେ ଭକ୍ତ ଏକ ବଡ଼ ଦାବି କରିଛନ୍ତି । ପଶୁଚର୍ବି ପରେ ଏବେ ପ୍ରସାଦରେ ତମାଖୁ ମିଳିଥିବା ସୂଚନା ମିଳିଛି। ଯାହାପରେ ସାରା ଦେଶରେ ଚହଳ ପଡିଛି।

ତେଲେଙ୍ଗାନାର ଖମ୍ମାମ ଜିଲାର ଜଣେ ମହିଳା ଭକ୍ତ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରର ପ୍ରସାଦକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେ ଦାବି କରିଛନ୍ତି ଯେ, ତିରୁପତି ମନ୍ଦିରର ପବିତ୍ର ଲଡୁରୁ ତମାଖୁ ମିଳିଛି । ତାଙ୍କ କହିବାନୁସାରେ, ଯେତେବେଳେ ସେ ତିରୁପତି ମନ୍ଦିରର ପ୍ରସାଦ ତାଙ୍କ ଘରକୁ ଆଣିଥିଲେ, ସେତେବେଳେ ସେ ପ୍ରସାଦରେ ଏକ କାଗଜରେ ତମାଖୁ ଗୁଡା ହୋଇଥିବାର ଦେଖିବାକୁ ପାଇଥିଲେ ।

ସେ ୧୯ ସେପ୍ଟେମ୍ବରରେ ତିରୁପତି ମନ୍ଦିରକୁ ଯାଇଥିଲେ । ପ୍ରତ୍ୟେକ ଭକ୍ତଙ୍କ ପରି ପଦ୍ମାବତୀ ମଧ୍ୟ ମନ୍ଦିରରୁ ପ୍ରସାଦ ଆଣି ତାଙ୍କ ନିକଟତମ ଲୋକଙ୍କ ମଧ୍ୟରେ ବାଣ୍ଟିଥିଲେ । ପଦ୍ମାବତୀଙ୍କ କହିବା ଅନୁଯାୟୀ, ଯେତେବେଳେ ଆମେ ଲଡୁ ଖୋଲି ଲୋକମାନଙ୍କ ମଧ୍ୟରେ ବାଣ୍ଟିବା ଆରମ୍ଭ କରିଥିଲୁ, ପ୍ରସାଦ ଭିତରେ ଏକ କାଗଜରେ ତମାଖୁ ଗୁଡ଼ାଯାଇଥିବା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ତେବେ ପଦ୍ମାବତୀଙ୍କ ଏହି ବୟାନ ପରେ ଲକ୍ଷ ଲକ୍ଷ ତିରୁପତି ଭକ୍ତଙ୍କ ଆବେଗକୁ ପୁଣି ଶକ୍ତ ଆଘାତ ଲାଗିଛି ।

ସେପଟେ ମହିଳାଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଛି ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ତିପୁରତି ତିରୁମାଳା ଦେବସ୍ଥାନମ ବା ଟିଟିଡି । ଏହି ଲଡୁକୁ ବୈଷ୍ଣବ ବ୍ରାହ୍ମଣମାନେ ଅତି ପବିତ୍ରତାର ସହ କରିଥାନ୍ତି ଏବଂ ଏହି ପୂରା ପ୍ରକ୍ରିୟା ସିସିଟିଭି ନଜରରେ ହୋଇଥାଏ ବୋଲି ଟିଟିଡି କହିଛି ।

Share