ପୁଣି ୪୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତର ୩ ଦିନ ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିବା ପରେ ଜୁଲାଇ ୧୪ରେ ପୁଣି ୪୦ ହଜାର ଟପିଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ହଜାର ୮୦୬ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୫୮୧ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୩୯ ହଜାର ୧୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଏହା ୯୭.୨୮ ପ୍ରତିଶତ ଛୁଇଁଛି। ଅପରପକ୍ଷରେ ୪ ଲକ୍ଷ ୩୨ ହଜାର ୪୧ ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୧୧ ହଜାର ୯୮୯ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ୩୯ କୋଟି ୧୩ ଲକ୍ଷ ୪୦ ହଜାର ୪୯୧ ଜଣ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ଇତିମଧ୍ୟରେ ୪୩ କୋଟି ୮୦ ଲକ୍ଷ ୧୧ ହଜାର ୯୫୮ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୧ ଲକ୍ଷ ୪୩ ହଜାର ୮୫୦ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ଅପରପକ୍ଷରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୯ ଲକ୍ଷ ୮୭ ହଜାର ୮୮୦ରେ ପହଞ୍ଚିଛି।

Share