ପୁଣି ୪୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୦।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। କେରଳ କେରଳ ହଟ୍‌ସ୍ପଟ୍‌ ପାଲଟିବା ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୬୫୩ ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୧୫୨ ଛୁଇଁଛି।

ଦେଶରେ ଏହି ସମୟ ମଧ୍ୟରେ କରୋନାରେ ୨୯୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୨୫୬ ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୪୩ ହଜାର ୯୩୮ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୬୮ ପ୍ରତିଶତ ରହିଛି। ଅପରପକ୍ଷରେ ୩ ଲକ୍ଷ ୧୮ ହଜାର ୧୮୧ ଜଣ ଚିକିତ୍ସିତ ହେଉଛନ୍ତି।

ସାପ୍ତାହିକ ପଜିଟିଭ୍‌ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୯୯ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୫ ହଜାର ୧୩୩ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୮୦ କୋଟି ୮୫ ଲକ୍ଷ ୬୮ ହଜାର ୧୪୪ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୩୭ ଲକ୍ଷ ୭୮ ହଜାର ୨୯୬ ଜଣଙ୍କୁ ଟିକା ଦିଆଯାଇଛି।

ଅପରପକ୍ଷରେ ଇତିମଧ୍ୟରେ ୫୫ କୋଟି ୩୬ ଲକ୍ଷରୁ ଅଧିକ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୧ ଲକ୍ଷ ୭୭ ହଜାରରୁ ଅଧିକ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୨୭ ଲକ୍ଷ ୧୫ ହଜାର ୧୦୫ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି।

ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୪ ଲକ୍ଷ ୭୮ ହଜାର ୪୧୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଜମା ହେବାକୂଥିବା ଭିଡ଼କୁ ନେଇ ସରକାରଙ୍କ ଭୟ ବଢ଼ିବାରେ ଲାଗିଛି।

Share