ପୁଣି ବିପଦ, କରୋନା ସି-୧-୨ ଭାରିଆଣ୍ଟ ୬ ଦେଶରେ ବ୍ୟାପିଲାଣି…

ଜେନେଭା,୧।୯: କରୋନା ମହାମାରୀ ପୁଣି ସଙ୍କଟ ସୃଷ୍ଟି କରିବାକୁ ଯାଉଛି। କରୋନାର ନୂତନ ପ୍ରକାର ସି-୧-୨ ଭାରିଆଣ୍ଟ ଏବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ଚିନ୍ତା ବଢାଇଛି। ଡବ୍ଲ୍ୟୁଏଚ୍‌ଓର ବୈଷୟିକ ମୁଖ୍ୟ ଡ. ମାରିଆ ଓ୍ବାନ ଏହି ଭାରିଆଣ୍ଟ ସମ୍ପର୍କରେ ଟୁଇଟ କରି କହିଛନ୍ତି ଯେ, ଏହା ଡେଲଟା ଅପେକ୍ଷା ଅଧିକ ସଂକ୍ରାମକ। ସେ କହିଛନ୍ତି ଯେ ଡବ୍ଲ୍ୟୁଏଚ୍‌ଓ ଦକ୍ଷିଣ ଆଫ୍ରିକାର ଅନୁସନ୍ଧାନକାରୀ ଟିମ୍‌ଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛି। ଇତିମଧ୍ୟରେ ସି-୧-୨ ଭାରିଆଣ୍ଟ ୬ ଟିି ଦେଶରେ ବ୍ୟାପିଛି। ଏହି ଭାରିଆଣ୍ଟ୍‌ର ୧୦୦ରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତେବେ ଏହା ବର୍ତ୍ତମାନ ସୁଦ୍ଧା ଭାରତରେ ପହଞ୍ଚି ନାହିଁ। ଡବ୍ଲ୍ୟୁଏଚ୍‌ଓ କହିଛି ଯେ ୨୧ ମେ’ରେ ଦକ୍ଷିଣ ଆଫ୍ରିକାରେ ଏହି ଭାରିଆଣ୍ଟ୍‌ର ପ୍ରଥମ ଘଟଣା ରିପୋର୍ଟ ହୋଇଥିଲା। ଧୀରେଧୀରେ ଏହି ଭାରିଆ୍ଯଯ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବୈଜ୍ଞାନିକମାନେ ମଧ୍ୟ କରୋନାର ଏହି ନୂତନ ଭାରିଆଣ୍ଟକୁ ମ୍ୟୁଟେଶନ ଦୃଷ୍ଟିରୁ ଅତ୍ୟନ୍ତ ବିପଜ୍ଜନକ ବୋଲି କହିଛନ୍ତି। ଅଗଷ୍ଟ ୨୪ରେ ପ୍ରିପ୍ରିଣ୍ଟ ପ୍ରିପୋଜିଟୋରୀ ମେଡରେକ୍ସିଭ ପକ୍ଷରୁ ହୋଇଥିବା ଏକ ସମୀକ୍ଷା ମୂଳକ ଅଧ୍ୟୟନରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ଏହି ନୂତନ ଭାରିଆଣ୍ଟଟି ସି-୧ର ପରିବର୍ତ୍ତିତ ରୂପ। କରୋନାର ଏହି ନୂତନ ଭାରିଆଣ୍ଟ୍‌ ସ୍ପାଇକ ପ୍ରୋଟିନ ଅତି ଶୀଘ୍ର ପରିବର୍ତ୍ତନ କରିବାକୁ ସକ୍ଷମ। ଏହା ପ୍ରତିରକ୍ଷା ପ୍ରଣାଳୀକୁ ଶୀଘ୍ର କ୍ଷତି ପହଞ୍ଚାଇଥାଏ।
କରୋନାର ଏହି ନୂତନ ଭାରିଆଣ୍ଟ୍‌ ଭାକ୍ସିନ୍‌ ଯୋଗୁ ସୃଷ୍ଟି ହୋଇଥିବା ପ୍ରତିରକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବାକୁ ସକ୍ଷମ। ଏହା ସାର୍ସ-କୋଭ୍‌-୨ ଭୁତାଣୁର ସ୍ପାଇକ ପ୍ରୋଟିନ ବ୍ୟବହାର କରି ଏହାକୁ ସଂକ୍ରମିତ କରି ମାନବ କୋଷରେ ପ୍ରବେଶ କରିଥାଏ। ସି-୧-୨ ଭାରିଆଣ୍ଟରେ ଏନ୍‌-୪୪୦-କେ ଏବଂ ଓ୍ବାଇ-୪୪୯-ଏଚ୍‌ ମ୍ୟୁଟେଶନ ଚିହ୍ନଟ ହୋଇଛି। ଏହି ମ୍ୟୁଟେଶନ ଯୋଗୁ ଶରୀରର ପ୍ରତିରକ୍ଷା ବ୍ୟବସ୍ଥା ସହଜରେ ନଷ୍ଟ ହୋଇ ପାରିଥାଏ। ତେବେ ଭାକ୍ସିନ୍‌ ରଉଭୟ ଡୋଜ୍‌ ନେଇଥିବା ବ୍ୟକ୍ତି କ୍ଷେତ୍ରରେ ବିପଦ କମ୍‌ ହେବାର ସମ୍ଭାବନା ଥିବା ବୈଜ୍ଞାନିକମାନେ କହିଛନ୍ତି। ଭାରତରେ ଏପର୍ଯ୍ୟନ୍ତ ଏହାର ଗୋଟିଏ ବି ମାମଲା ନାହିଁ। ତେବେ ଏହି ନୂତନ ବିପଦକୁ ନେଇ ଭାରତ ଚିନ୍ତିତ ଏବଂ ସତର୍କ ରହିଛି।

Share