ପୁଣି ଜଣେ କରୋନା ରୋଗୀଙ୍କ ମୃତଦେହ ସହ ଅସମ୍ମାନ

ଭୋପାଲ,୭।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ କରୋନା ରୋଗୀଙ୍କ ମୃତଦେହକୁ ଅତି ଦୟନୀୟ ଅବସ୍ଥାରେ ହସ୍ପିଟାଲ କର୍ମଚାରୀ ଅଳିଆ ଗଦାରେ ଫୋପାଡି ଦେଇଥିବା ଜଣାପଡ଼ିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ୨ଜଣ ଆମ୍ବୁଲାନ୍ସ କର୍ମଚାରୀ ପିପିଇ କିଟ ପିନ୍ଧି ଆମ୍ବୁଲାନ୍ସ ଗାଡ଼ିରୁ କରୋନାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଷ୍ଟ୍ରେଟଚରେ ବାହାରକୁ କାଢ଼ି ଅଳିଆ ଗଦାରେ ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ରାଜଭବନ ନିକଟସ୍ଥ ପିପୁଲ୍ସ ହସ୍ପିଟାଲରେ ଓ୍ବାଜିଦ ଅଲୀ କିଡନୀ ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଗତ କିଛି ଦିନ ତଳେ ତାଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯିବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଏହାପରେ ତାଙ୍କର କରୋନା ଯାଞ୍ଜ କରାଯାଇଥିଲା। ଯାଞ୍ଚ ରିପୋର୍ଟରେ କରୋନା ପଜିଟିଭ୍‌ ବାହାରିବା ପରେ ଚିକିତ୍ସା ପାଇଁ ଅଲୀଙ୍କୁ ଚିରାୟୁ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସରେ ନିଆଯାଇଥିଲା। ହେଲେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଉକ୍ତ ବ୍ୟକ୍ତିଙ୍କୁ ନେଇ ଅଧା ରାସ୍ତାରୁ ହିଁ ଆମ୍ବୁଲାନ୍ସ ଡ୍ରାଇଭର ଫେରି ପିପୁଲ୍ସ ହସ୍ପିଟାଲର ଏକ ଅଳିଆ ଗଦାରେ ତାଙ୍କ ମୃତଦେହକୁ ଫୋପାଡି ଚାଲିଯାଇଥିଲେ। ଅଲୀଙ୍କ ମୃତ୍ୟୁ ଖବର ସେତେବେଳେ ପରିବାର ଲୋକ ଜାଣିବାକୁ ପାଇଥିଲେ ଯେତେେବେଳ ସେମାନେ ଚିରାୟୁ ହସ୍ପିଟାଲରେ ପହଞ୍ଚିଥିଲେ। ତେବେ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗୁରୁତର ସହ ନେଇ ମାଜିଷ୍ଟ୍ରେଟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।

Share