Categories: ଜାତୀୟ

ପୁଣି ମୁହଁ।ମୁହିଁ ୨ ଓକିଲ

ନୂଆଦିଲ୍ଲୀ,୧୨ା୧୦(ଆଇଏଏନ୍‌ଏସ୍‌): କେହି କେହି ଏହାକୁ ସଂଯୋଗ ବୋଲି କହୁଥିବାବେଳେ ଆଉ କେତେକଙ୍କ ମତରେ ଏହା ହେଉଛି ଭାଗ୍ୟ। କିନ୍ତୁ ଦୁହେଁ କହୁଛନ୍ତି ଏହା ସେମାନଙ୍କ ପାଇଁ ପେସା। ଦିଲ୍ଲୀର ନିର୍ଭୟା ମାମଲା ଲଢ଼ିଥିବା ଦୁଇ ଆଇନଜୀବୀ ଏବେ ଉତ୍ତରପ୍ରଦେଶର ହାଥ୍‌ରସ ମାମଲାରେ ପରସ୍ପର ସହ ମୁହଁ।ମୁହିଁ  ହୋଇଛନ୍ତି।

ନିର୍ଭୟା ମାମଲାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଲଢ଼ିଥିବା ଓକିଲ ସୀମା କୁଶଓ୍ବାହ ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ମାମଲାରେ ମଧ୍ୟ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଦାଲତରେ ପ୍ରତିନିଧିତ୍ୱ କରୁଛନ୍ତି। ଏନେଇ ସୀମା କହିଛନ୍ତି, ଜଣେ ଆଇନଜୀବୀ ଭାବେ କାର୍ଯ୍ୟ କରିବା ସହ ସେ ସମାଜସେବା ମଧ୍ୟ କରିଥାନ୍ତି। ଏହି ଘଟଣା ସମ୍ପର୍କରେ ସେ ସେପ୍ଟେମ୍ବର ୨୬ରେ ଜାଣିବାକୁ ପାଇଥିଲେ। ସେବେଠୁ ସେ ହାଥ୍‌ରସ ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗରେ ଅଛନ୍ତି। ସେପ୍ଟେମ୍ବର ୨୯ରେ ସୀମା ପୀଡ଼ିତାଙ୍କ ଘରକୁ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ପହଞ୍ଚତ୍ବା ପୂର୍ବରୁ ପୀଡ଼ିତା ଆଖି ବୁଜିଦେଇଥିଲେ। ଫଳରେ ଜୀବିତାବସ୍ଥାରେ ପୀଡ଼ିତାଙ୍କୁ ସେ ଭେଟିପାରି ନ ଥିଲେ। ହାଥ୍‌ରସ ମାମଲାର ଶୁଣାଣି ଦିଲ୍ଲୀରେ ହେଉ ବୋଲି ପୀଡ଼ିତାଙ୍କ ପରିବାର ଚାହୁଁଥିବାରୁ ସେ ଏନେଇ ଅଦାଲତଙ୍କୁ ଅନୁରୋଧ କରିବେ ବୋଲି ସୀମା କହିଛନ୍ତି। ସଂଯୋଗ ସମ୍ପର୍କରେ ପଚରାଯିବାରୁ ସୀମା କହିଥିଲେ, ନିର୍ଭୟା ମାମଲାରେ ସେ ସେହି ଆଇନଜୀବୀଙ୍କ ବିରୋଧରେ ଲଢ଼ିବାକୁ ଯାଉଛନ୍ତି, ଯିଏ କି ଦୋଷୀମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିଲେ। ମୁଁ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ମାମଲା ହାତକୁ ନେଉଥିବାବେଳେ ଏ.ପି. ସିଂ ଅଭିଯୁକ୍ତ ପୁରୁଷଙ୍କ ପକ୍ଷ ରଖୁଛନ୍ତି। ଏହା ହେଉଛି ଏକ ଲିଙ୍ଗଗତ ପ୍ରସଙ୍ଗ।
ଅପରପକ୍ଷେ ନିର୍ଭୟାଙ୍କ ଦୋଷୀ ଓ ବାବା ରାମ ରହିମଙ୍କ ଭଳି ଅଭିଯୁକ୍ତଙ୍କ ଲାଗି କୋର୍ଟରେ ପକ୍ଷ ରଖିଥିବା ଏ.ପି. ସିଂ ଏବେ ବହୁଚର୍ଚ୍ଚିତ ହାଥ୍‌ରସ ମାମଲାରେ ପୀଡ଼ିତାଙ୍କ ପରିବାର ବିପକ୍ଷରେ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ୪ ଅଭିଯୁକ୍ତ ଠାକୁର ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କ ପାଇଁ ମାମଲା ପରିଚାଳନା କରିବା ଲାଗି ଅଖିଳ ଭାରତୀୟ କ୍ଷତ୍ରୀୟ ମହାସଭା ଏ.ପି. ସିଂଙ୍କୁ ଅନୁରୋଧ କରିଛି। ଏ ସମ୍ପର୍କରେ ଖବରଦାତାମାନଙ୍କୁ ଏ.ପି. ସିଂ କହିଛନ୍ତି, ନିଜ ମହକିଲଙ୍କ ପାଇଁ ଲଢ଼େଇ କରିବା ଏବଂ ନିରୀହମାନେ ଯେପରି ଦଣ୍ଡ ନ ପାଇବେ ତାହା ସୁନିଶ୍ଚିତ କରିବା ହେଉଛି ତାଙ୍କ କର୍ତ୍ତବ୍ୟ। ତେବେ ପବ୍ଲିସିଟି ପାଇଁ ବିବାଦୀୟ ମାମଲା ହାତକୁ ନେଉଥିବା ବିଷୟକୁ ସେ ଖଣ୍ଡନ କରିଛନ୍ତି। କହିଛନ୍ତି, କୋର୍ଟରେ ଦୋଷୀ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ କେହି ଅଭିଯୁକ୍ତ ନୁହନ୍ତି। ଠିକ୍‌ ଭୁଲ୍‌ର ନିଷ୍ପତ୍ତି ନେବା ପାଇଁ ମୁଁ କେହି ନୁହେଁ। ମୁଁ ମୋ କାମ କରିବି ଏବଂ ନିଷ୍ପତ୍ତି ଅଦାଲତ ନେବେ। ସେହିପରି ହାଥ୍‌ରସ ମାମଲାର ରାଜନୀତୀକରଣ କରାଯାଇଥିବାରୁ ଏ.ପି. ସିଂ ସମାଲୋଚନା କରିଛନ୍ତି। ସୀମା କୁଶ୍‌ଓ୍ବାହଙ୍କ ସମ୍ପର୍କରେ କହିଛନ୍ତି, ସେ ମୋ ସାନଭଉଣୀ ଭଳି। ଆମେ କୋର୍ଟରେ ପୁଣିଥରେ ଦୁହେଁ ନିଜ ନିଜ ପକ୍ଷ ରଖିବାକୁ ଯାଉଛୁ, ଏହା ଭଲ କଥା।

Share