ପୁଣି ଏହି ରାଜ୍ୟରେ ହୋଇପାରେ ଲକ୍‌ଡାଉନ!

ଚଣ୍ଡିଗଡ଼,୨୨।୧୧: ଦେଶରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ପୁଣି ଥରେ ଏହାର ଆତଙ୍କ ଦେଖିବାକୁ ମିଳିଛି। ଭାରତର କେତୋଟି ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବର୍ଦ୍ଧିତ କରୋନା ମାମଲାକୁ ଦେଖି ସୁରକ୍ଷା ଦୃଷ୍ଟିରୁ କେତେକ ରାଜ୍ୟସରକାର ରାତ୍ରିକାଳୀନ କର୍ଫ୍ୟୁ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ଏବେ ହରିଆଣା ସରକାର ମଧ୍ୟ ଏହା ଉପରେ ଚିନ୍ତା କରୁଥିବା ଜଣାପଡ଼ିଛି। ଏନେଇ ହରିଆଣା ଗୃହମନ୍ତ୍ରୀ ଅନୀଲ ବିଜ କହିଛନ୍ତି, ତାଙ୍କ ପାଖରେ ୨ଟି ରାସ୍ତା ଅଛି, ଗୋଟିଏ ରାଜ୍ୟରେ ଲକ୍‌ଡାଉନ ଅନ୍ୟଟି କଠୋର କାର୍ଯ୍ୟାନୁଷ୍ଠାନ। ତେବେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ପୁନଃ ଲକ୍‌ଡାଉନ୍‌ କିମ୍ବା ଫେସ୍‌ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇପାରେ। ତେବେ ସେ ଦ୍ୱିତୀୟ ରାସ୍ତାଟି ଅପାଣାଇବାକୁ ଇଛା ପ୍ରକାଶ କରିଛନ୍ତି। କାରଣ ପୁଣି ଥରେ ରାଜ୍ୟରେ ଲକ୍‌ଡାଉନ ହେଲେ ଅନେକ ଲୋକ ବେରୋଜଗାର ହୋଇଯିବେ। କିନ୍ତୁ କଠୋର କାର୍ଯ୍ୟାନୁଷ୍ଠାନ ସହ କରୋନା କଟକଣା ପାଳନ କରାଯାଇପାରିବ ବୋଲି ଅନୀଲ ବିଜ କହିଛନ୍ତି। ଏନେଇ ସେ ପୋଲିସ କମିଶନରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠାରେ ଭିଡ଼ ଏକତ୍ରିତ ହେଉଛି ଏବଂ କଟକଣା ପାଳନ କରାଯାଉନାହିଁ ସେଠାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହରିଆଣା ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Share