ପୁଣି ବଢ଼ିଲା ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା…

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲକ୍‌ଡାଉନ୍‌ ପ୍ରଭାବରୁ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୧୦ ଥିବାବେଳେ ମୃତକଙ୍କ ସଂଖ୍ୟା ୨,୭୯୫ ଥିଲା । ତେବେ ବୁଧବାର ଏହାପୁଣି ବଢ଼ିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୨ ହଜାର ୭୮୮ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୩,୨୦୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୨ ଲକ୍ଷ ୩୧ ହଜାର ୪୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୧୭ ଲକ୍ଷ ୯୩ ହଜାର ୬୪୫ଜଣ ଚିକିତ୍ସିତ ହେଉଛନ୍ତି। ଅଧିକ ସଂଖ୍ୟକ ଆକାନ୍ତଙ୍କ ମୃତ୍ୟୁ ଘଟୁ ଥିବାରୁ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ଦେଖାଦେଇଛି। ଶ୍ମଶାନରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ବର୍ତ୍ତମାନ ସୁଦ୍ଧା ୨୧ କୋଟି ୮୫ ଲକ୍ଷ ୪୬ ହଜାର ୬୬୭ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୫ କୋଟି ୫୭ ହଜାର ୩୩୦ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।

Share