ପୁଣି ପେଟ୍ରୋଲ ୩୫ ପଇସା ବଢ଼ିଲା

ନୂଆଦିଲ୍ଲୀ/ଭୁବନେଶ୍ୱର,୬।୭: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଦେଶବ୍ୟାପୀ ବିରୋଧ ଓ ଆନ୍ଦୋଳନ ଚାଲିଛି। ଏହା ସତ୍ତ୍ୱେ ବି ତୈଳ ଦର ବୃଦ୍ଧି ରୋକିବାର ନଁା ନେଉନାହିଁ। କ୍ରମାଗତ ୨ୟ ଦିନ ଲାଗି ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଛି। ରବିବାର ପରେ ସୋମବାର ପୁଣି ଥରେ ପେଟ୍ରୋଲ ଉପରେ ୩୫ ପଇସା ବଢ଼ିଥିବାବେଳେ ଡିଜେଲ ମୂଲ୍ୟ ସ୍ଥିର ରହିଛି। ଏହି ଦର ବୃଦ୍ଧି ଫଳରେ ଦେଶର ୧୩ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ସବୁସ୍ଥାନରେ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ଉପରେ ରହିଥିବା ଜଣାପଡ଼ିଛି। ଏପରିକି ଓଡ଼ିଶାର ସମସ୍ତ ଜିଲାରେ ମଧ୍ୟ ପେଟ୍ରୋଲ ୧୦୦ ଟପି ରେର୍କଡ ସ୍ତରରେ ବିକ୍ରି ହେଉଛି। ଅପରପକ୍ଷରେ ରାଜ୍ୟର କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର ଓ ମାଲକାନଗିରି ଭଳି ଜିଲାରେ ଡିଜେଲ ମୂଲ୍ୟ ମଧ୍ୟ ୧୦୦ ଟଙ୍କା ଉପରେ ରହିଥିବା ସୂଚନା ମିଳିଛି।
ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌)ର ସୂଚନା ଅନୁସାରେ ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ୩୬ ପଇସା ବୃଦ୍ଧି ଘଟିଥିବାବେଳେ ଡିଜେଲ ମୂଲ୍ୟ ସ୍ଥିର ରହିଛି। ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା ୧୦୦.୬୬ ଟଙ୍କା ଏବଂ ଡିଜେଲ ୯୭.୩୯ ଟଙ୍କାରେ ବିକ୍ରି ହେଉଛି। ଅନ୍ୟ ପକ୍ଷେ କଟକ ସହରରେ ପେଟ୍ରୋଲ ଲିଟର ପିଛା ୧୦୦.୯୮ ଟଙ୍କା ଏବଂ ଡିଜେଲ ୯୭.୭୦ ଟଙ୍କାରେ କାରବାର ହେଉଛି। ଗତ ମେ’୪ ପରଠାରୁ କ୍ରମାଗତ ଭାବେ ତୈଳ ଦରରେ ପରିବର୍ତ୍ତନ ହୋଇଚାଲିଛି। ଏହା ମଧ୍ୟରେ ପେଟ୍ରୋଲ ମୂଲ୍ୟ ୩୫ ଥର ଏବଂ ଡିଜେଲ ୩୩ ଥର ବଢ଼ିଲାଣି। ଏହି ସମୟ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଉପରେ ୯.୫୪ ଟଙ୍କା ଏବଂ ଡିଜେଲ ୯.୪୧ ଟଙ୍କା ବୃଦ୍ଧି ଘଟିଲାଣି ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି।
ଅପରପକ୍ଷରେ ନୂଆଦିଲ୍ଲୀରେ ପେଟ୍ରୋଲ ୩୫ ପଇସା ବଢ଼ିଥିବା ବେଳେ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ଫଳରେ ସେଠାରେ ପେଟ୍ରୋଲ ଲିଟର ପିଛା ୯୯.୮୬ ଟଙ୍କା ଏବଂ ଡିଜେଲ ୮୯.୩୬ ଟଙ୍କାରେ ପହଞ୍ଚତ୍ଛି। ମେ’ ୪ ପରଠାରୁ ଦିଲ୍ଲୀରେ ପେଟ୍ରୋଲ ଉପରେ ୯.୪୬ ଟଙ୍କା ଏବଂ ଡିଜେଲ ୮.୬୩ ଟଙ୍କା ବଢିଥିବା ଜଣାପଡିଛି।
ସେହିଭଳି ଦେଶର ଅନ୍ୟ ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ ୧୦୦.୭୫ ଟଙ୍କା, ୯୯.୮୪ ଟଙ୍କା ଏବଂ ୧୦୫.୯୨ ଟଙ୍କାରେ ବିକ୍ରି ହେଉଛି। ସେହିପରି ଏହି ସବୁ ମେଟ୍ରୋ ସହରରେ ଡିଜେଲ ଦର ପୂର୍ବପରି ଯଥାକ୍ରମେ ୯୩.୯୧ ଟଙ୍କା, ୯୨.୨୭ ଟଙ୍କା ଏବଂ ୯୬.୯୧ ଟଙ୍କାରେ ରହିଛି। ଦେଶରେ ତୈଳ ଦର ହୁ ହୁ ହୋଇ ବଢୁଥିବା ବେଳେ ସରକାର ଦର ହ୍ରାସ ବିଷୟରେ ଚିନ୍ତା ନ କରି ବିଭିନ୍ନ ବାହାନା ଓ ରାଜନୈତିକ ଦୋଷାରୋପ କରି ଚାଲିଛନ୍ତି। ଏହାକୁ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଘୋର ନିନ୍ଦା କରିବା ସହ ଜୁଲାଇ ୭ ରୁ ୧୭ ପର୍ଯ୍ୟନ୍ତ ଦେଶବ୍ୟାପୀ ଦରଦାମ ବୃଦ୍ଧି ଓ ତେଲ ଏବଂ ଗ୍ୟାସ୍‌ ଦରର ରେର୍କଡ ସ୍ତର ଦର ବୃଦ୍ଧିକୁ ନେଇ ପଲ୍ଲୀରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ବିରୋଧ କରିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।

Share