ନୂଆଦିଲ୍ଲୀ,୨୫।୧୦: ଭାରତରେ କରୋନା ମହାମାରୀର ଏକ ନୂତନ ଭାରିଆଣ୍ଟ୍ ଡେଲଟା ପ୍ଲସ- ଏଓ୍ବାଇ.୪.୨ ଚିହ୍ନଟ ହୋଇଛି। ଏହା ବ୍ରିଟେନରେ ତାଣ୍ଡବ ରଚିସାରିଛି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ସାର୍ସ କୋଭ୍-୨ର ଡେଲଟା ଭାରିଆଣ୍ଟର ସବ୍ଲାଇନ ମାମଲା ଚିହ୍ନଟ ହେବା ପରେ ଭାରତର କରୋନା ଜେନୋମିକ ସର୍ଭିଲାନ୍ସ ପ୍ରୋଜେକ୍ଟ ହାଇ ଆଲର୍ଟରେ ରହିଛି।
ଏକ ରିପୋର୍ଟ ଅନୁଯାୟୀ, ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ଦ୍ୱାରା ପ୍ରକାଶିତ ଜେନୋମ ସିକ୍ୱେନ୍ସିଂ ରିପୋର୍ଟରେ ଇନ୍ଦୋରରେ ଏହି ନୂତନ ପ୍ରକାରର ୭ଟି ମାମଲା ଚିହ୍ନଟ ହୋଇଛି। ଇନ୍ଦୋରର ମୁଖ୍ୟ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ଅଧିକାରୀ ଡ. ବି.ଏସ୍. ସୈତ୍ୟ କହିଛନ୍ତି ଯେ ସଂକ୍ରମିତ ଲୋକଙ୍କ ମଧ୍ୟରେ ୨ ଜଣ ମୋହ କ୍ୟାଣ୍ଟନମେଣ୍ଟରେ ପୋଷ୍ଟ ହୋଇଥିବା ସେନା ଅଧିକାରୀ ମଧ୍ୟ ରହିଛନ୍ତି।
ମହାରାଷ୍ଟ୍ରର ୧ ପ୍ରତିଶତ ନମୁନାରେ ନୂତନ ଡେଲଟା ଏଓ୍ବାଇ.୪.୨ ଚିହ୍ନଟ ହୋଇଛି। ବୈଜ୍ଞାନିକମାନେ ସୂଚାଇ ଦେଇଛନ୍ତି ଯେ ନୂତନ ଭାରିଆଣ୍ଟଟି ଡେଲ୍ଟା ଷ୍ଟ୍ରେନ ଅପେକ୍ଷା ଅଧିକ ସଂକ୍ରାମକ ଏବଂ ଅଧିକ ମାରାତ୍ମକ ହୋଇପାରେ। ଏଓ୍ବାଇ.୪.୨ ଭାରିଆଣ୍ଟକୁ ବର୍ତ୍ତମାନ ବ୍ରିଟେନରେ ‘ଭାରିଆଣ୍ଟ ଅଣ୍ଡର ଇନଭେଷ୍ଟିଗେସନ’ ଭାବରେ ଘୋଷଣା କରାଯାଇଛି। ସ୍ବାସ୍ଥ୍ୟ ଏଜେନ୍ସି ଏହାର ରିପୋର୍ଟରେ କହିଛି ଯେ ଏଓ୍ବାଇ.୪.୨ସ୍ ଡେଲଟା ଭାରିଆଣ୍ଟ ସମସ୍ତ ଅନୁକ୍ରମର ପ୍ରାୟ ୬ ପ୍ରତିଶତ। ତେବେ ଏନେଇ ଅଧିକ ପରୀକ୍ଷା ନିରୀକ୍ଷା ଜାରି ରହିଛି।
ଏନସିଡିସି ରିପୋର୍ଟରେ କୁହାଯାଇଛି ଯେ ଏଓ୍ବାଇ.୪.୨ ସବ୍ ଲାଇନ ଯୋଗୁ ସେପ୍ଟେମ୍ବରରେ ଇନ୍ଦୋର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିଲା। ଅଗଷ୍ଟରେ ମଧ୍ୟ ସଂକ୍ରମଣ ୬୪ ପ୍ରତିଶତ ବୃଦ୍ଧି ପାଇଥିଲା।