Advertisement

ପୁଣି ଝୁଲି ରହିଲା ନିର୍ବାଚନ

କେନ୍ଦୁଝର,୧୧ା୩(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘର ନିର୍ବାଚନକୁ ନେଇ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ୨୦୨୨ ଅଗଷ୍ଟ ୯ରୁ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ପୁରି ଯାଇଥିଲେ ମଧ୍ୟ କର୍ମକର୍ତ୍ତାମାନେ ନିର୍ବାଚନ କରିବାକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ସଂଘର ନିୟମ ଅନୁଯାୟୀ କାର୍ଯ୍ୟକାଳ ପୁରିବା ପରେ କର୍ମକର୍ତ୍ତାମାନେ ସଂଘର ସଭ୍ୟ ତାଲିକା ପରାମର୍ଶଦାତାମାନଙ୍କୁ ଦେଇ ନିର୍ବାଚନ କରାଇବାକୁ ଅନୁରୋଧ କରିବା କଥା। ତେବେ ସାଧାରଣ ସମ୍ପାଦକ ବାରମ୍ବାର ପରାମର୍ଶଦାତାଙ୍କୁ ନିର୍ବାଚନ କରିବାକୁ ଚିଠି ଲେଖିବା ସତ୍ତ୍ୱେ ସଭ୍ୟ ତାଲିକା ପ୍ରଦାନ କରୁନାହାନ୍ତି। ଯାହାକୁ ନେଇ ନିର୍ବାଚନ ଝୁଲି ରହିଛି।
ପ୍ରକାଶ ଯେ, ୨୦୨୩ ମାର୍ଚ୍ଚ ୧୦ ସୁଦ୍ଧା ସଭ୍ୟ ତାଲିକା ପରାର୍ଶଦାତାଙ୍କୁ ପ୍ରଦାନ କରାଯିବାକୁ ନେଇ ଏକ ପତ୍ର ସଂଘର ସାଧାରଣ ସମ୍ପାଦକ ଦେଇଥିଲେ। ଏହାର ନକଲ ମଧ୍ୟ ଅତିରିକ୍ତ ଜିଲାପାଳଙ୍କୁ ଦିଆଯାଇଥିଲା। ତେବେ ଅନ୍ୟ କାର୍ଯ୍ୟର ବାହାନ ଦେଖାଇ ୧୦ ତାରିଖରେ ସଭ୍ୟ ତାଲିକା ପରାମର୍ଶଦାତାଙ୍କୁ ପ୍ରଦାନ କରି ନ ଥିବାରୁ ପରାମର୍ଶଦାତା କୈଳାସ ଚନ୍ଦ୍ର ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆସନ୍ତା ସୋମବାର ଦିନ ଜିଲା ପ୍ରଶାସନ, ଏସ୍‌ପି ଏବଂ ଆଇଜିଆରଙ୍କୁ ସଭାପତି ଏବଂ ସମ୍ପାଦକ ନିର୍ବାଚନ କରିବାକୁ ଅନିଛୁକ ଥିବା ଅବଗତ କରାଇବେ ବୋଲି ପ୍ରକାଶ କରିଛନ୍ତି। ଟ୍ରକ୍‌ ମାଲିକ ସଂଘର ନିର୍ବାଚନକୁ ନେଇ ଟ୍ରକ ମାଲିକମାନଙ୍କ ମଧ୍ୟରେ ଆଶା ଓ ଆଶଙ୍କା ବଢ଼ିବାରେ ଲାଗିଛି। ତେବେ ନିର୍ବାଚନ କେବେ ହେବ ତାହା କହିହେବ ନାହିଁ ବୋଲି ପରାମର୍ଶଦାତା ପଣ୍ଡା ପ୍ରକାଶ କରିଛନ୍ତି।

Share