ବରଗଡ଼ ଅଫିସ୍,୧୨।୬: ବରଗଡ଼ ଜିଲାର ଗାଁଠୁ ସହର ସବୁଆଡ଼େ ଚୋରାମଦ କାରବାର ବଢ଼ି ଚାଲିଛି। ସ୍ଥାନୀୟ ଅବକାରୀ, ପୋଲିସ ପ୍ରଶାସନ ସେଥିପ୍ରତି ଆଖିବୁଜି ଦେଇଥିବା ଅଭିଯୋଗ ହେଉଛି। ଏହାର ପ୍ରତିବାଦରେ ଗ୍ରାମର ମହିଳାମାନେ ମଦ ବିରୋଧୀ ଅଭିଯାନରେ ବାହାରିଛନ୍ତି। ଗ୍ରାମକୁ ମଦମୁକ୍ତ କରିବାର ସଂକଳ୍ପ ନେଇ ସୋମବାର ଜିଲାର ଅମ୍ବାଭୋନା ଥାନା ଅନ୍ତର୍ଗତ ଦ୍ୱାରି ଗ୍ରାମର ଏସ୍ଏଚ୍ଜି ମହିଳାମାନେ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅନୁପସ୍ଥିତିରେ ସେମାନେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଦ୍ୱାରି ଗ୍ରାମକୁ ପ୍ରତିଦିନ ପ୍ରକାଶପୁର (ଭୁକ୍ତା) ମଦଭାଟିରୁ ମଦ ଚୋରାଚାଲାଣ ହେଉଛି। ଗ୍ରାମର କେତେକ ଗଳିକନ୍ଦିରେ ଚୋରାମଦ କାରବାର ଚାଲୁଥିବା ଯୋଗୁ ପିଲାଙ୍କ ଉପରେ ଏହାର କୁପ୍ରଭାବ ପଡ଼ୁଛି। ସେହିପରି ନିଶାସକ୍ତ ଲୋକଙ୍କ ଦୌରାତ୍ମ୍ୟ ଯୋଗୁ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଥିବାବେଳେ ଏଥିପାଇଁ ବିଭିନ୍ନ ସମୟରେ ଗଣ୍ଡଗୋଳ ମଧ୍ୟ ଉପୁଜୁଛି। ଫଳରେ ଗ୍ରାମକୁ ମଦମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିବା ମହିଳାମାନେ କହିଛନ୍ତି। ଏହି ଦୃଷ୍ଟିରୁ ଦ୍ୱାରି ଗ୍ରାମରେ ମଦ କାରବାର ବନ୍ଦ କରିବା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ପୋଲିସ, ଅବକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ତପସ୍ବିନୀ ପ୍ରଧାନ, ଋକ୍ମଣୀ ସତନାମୀ, ସତ୍ୟବତୀ ଧରୁଆ, ଭଗବତୀ ବାଗ, ସୁରେଖା ମୁଗ୍ରୀ ପ୍ରମୁଖ ମହିଳା ଜିଲାପାଳଙ୍କୁ ନିବେଦନ କରିଛନ୍ତି।