Categories: ଖେଳ

ଅଗରକର ହୋଇପାରନ୍ତି ମୁଖ୍ୟ ଚୟନକର୍ତ୍ତା

ନୂଆଦିଲ୍ଳୀ, ୩୦ା୬: ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଲରାଉଣ୍ଡର ଅଜିତ୍‌ ଅଗରକର ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ ଗ୍ରହଣ କରିପାରନ୍ତି। ପୂର୍ବରୁ ସେ ଆଇପିଏଲ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ର ସହକାରୀ କୋଚ୍‌ ରହିଥିବା ବେଳେ ଗୁରୁବାର ଇସ୍ତଫା ପ୍ରଦାନ କରିଛନ୍ତି। ଡିସି ପକ୍ଷରୁ ଏହି ଖବର ସ୍ପଷ୍ଟ କରାଯାଇଥିବା ବେଳେ ମୁଖ୍ୟ ଚୟନକର୍ତ୍ତା ଭାବରେ ଅଗରକର ଯୋଗଦେବାର ସମ୍ଭାବନା ବୃଦ୍ଧି ପାଇଛି। ଏହା ସହିତ ବିସିସିଆଇ ପକ୍ଷରୁ ମୁଖ୍ୟ ଚୟନକର୍ତ୍ତାଙ୍କ ବେତନ ବୃଦ୍ଧି କରାଯିବାର ସମ୍ଭାବନା ରହିଛି। ପୂର୍ବରୁ ଚୟନ କମିଟିର ଅନ୍ୟ ସଦସ୍ୟଙ୍କୁ ମାସିକ ୯୦ ଲକ୍ଷ ଓ ମୁଖ୍ୟ ଚୟନକର୍ତ୍ତାଙ୍କୁ ୧ କୋଟି ଟଙ୍କାର ବେତନ ପ୍ରଦାନ କରାଯାଇଥାଏ। ଡିସିର ସହକାରୀ କୋଚ୍‌ ଭାବରେ ଅଗରକର କାମ କରୁଥିବା ବେଳେ ବିଭିନ୍ନ ଚ୍ୟାନେଲରେ ଭାଷ୍ୟକାର ଭାବରେ ମଧ୍ୟ କାମ କରିଥାନ୍ତି। ସେ ୧ କୋଟିରୁ ଅଧିକ ଆୟ କରୁଥିବା ବେଳେ ବିସିସିଆଇକୁ ନିଜର ବେତନ ବ୍ୟବସ୍ଥାର ସମୀକ୍ଷା ଆବଶ୍ୟକ ରହିଛି। ଅଗରକର ମୁଖ୍ୟ ଚୟନକର୍ତ୍ତା ଦୌଡରେ ଥିବା ନେଇ ବୁଧବାର ଖବର ପ୍ରକାଶ ପାଇଥିଲା। ତେବେ ଗୁରୁବାର ସେ ଡିସିରୁ ଇସ୍ତଫା ପ୍ରଦାନ କରିବା ପରେ ଏହା ଆପାତତଃ ସ୍ପଷ୍ଟ ହୋଇଛି। କେବଳ ଅକରକର ନୁହନ୍ତି ବରଂ ଅନ୍ୟତମ ଅଲରାଉଣ୍ଡର ଶେନ୍‌ ଓ୍ବାଟସନ୍‌ ମଧ୍ୟ ଡିସି ସହକାରୀ କୋଚ୍‌ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି।
ପୂର୍ବରୁ ୨୦୨୧ରେ ମଧ୍ୟ ଅଗରକର ଚୟନ କମିଟି ପାଇଁ ସାକ୍ଷାତକାର ଦେଇଥିଲେ। ଓ୍ବେଷ୍ଟ ଜୋନ୍‌ରୁ ଆବେ କୁରୁଭିଲାଙ୍କୁ ଚୟନ କରାଯାଇଥିଲା। ମୁମ୍ବାଇ କ୍ରିକେଟ ଆସୋସିଏଶନ ପକ୍ଷରୁ ସେତେବେଳେ ଅଗରକରଙ୍କୁ ସମର୍ଥନ ମିଳି ନ ଥିଲା। ରମାକାନ୍ତ ଆଚ୍ରେକରଙ୍କ ଏହି ଶିଷ୍ୟ ଜଣଙ୍କ ଅନ୍ୟ ଖେଳାଳିଙ୍କ ଅପେକ୍ଷା ମୁଖ୍ୟ ଚୟନକର୍ତ୍ତା ପାଇଁ ଅଧିକ ଯୋଗ୍ୟ ଥିଲେ। ଅଗରକର ଭାରତ ପକ୍ଷରୁ ୧୯୧ ଦିନିକିଆ, ୨୬ ଟେଷ୍ଟ ଓ ୪ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଯଦି ଅଗରକର ୨୦୨୧ରେ ଚୟନ କମିଟିରେ ସାମିଲ ହୋଇଥାନ୍ତେ ତେବେ ଚେତନ ଶର୍ମାଙ୍କ ସ୍ଥାନରେ ତାଙ୍କୁ ମୁଖ୍ୟ ଚୟନକର୍ତ୍ତା ଘୋଷଣା କରାଯାଇଥାନ୍ତା। ଏହି ତାଲିକାରେ ଦିଲ୍ଲୀପ ଭେଙ୍ଗସରକାର ଓ ରବି ଶାସ୍ତ୍ରୀଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଥିଲା। ତେବେ ଉଭୟ ଖେଳାଳି ଆବେଦନ କରିଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟ ପକ୍ଷରେ ଯଦି ଭେଙ୍ଗସରକାର ଆବେଦନ କରିଥାନ୍ତି ତେବେ ସେ ମାତ୍ର ଏକ ବର୍ଷ ପାଇଁ କାର୍ଯ୍ୟ କରିପାରିବେ। ପୂର୍ବରୁ ୨୦୦୫-୨୦୦୮ ପର୍ଯ୍ୟନ୍ତ ସେ ଚୟନ କମିଟି ମୁଖ୍ୟ ରହିଥିଲେ। ନୂତନ ନିୟମ ଅନୁସାରେ ଜଣେ ଖେଳାଳି ସର୍ବାଧିକ ୪ ବର୍ଷ ଚୟନ କମିଟିରେ କାର୍ଯ୍ୟ କରିପାରିବେ।

Share