Categories: ଜାତୀୟ

ସହମତି ବୟସ: କେନ୍ଦ୍ରକୁ ତଥ୍ୟ ମାଗିଲେ ଆଇନ କମିଶନ

ନୂଆଦିଲ୍ଲୀ, ୧୭।୬: ସହମତି ବୟସ ପ୍ରସଙ୍ଗର ଅନୁଧ୍ୟାନ କରୁଥିବା ୨୨ତମ ଆଇନ କମିଶନ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି। ଏନେଇ କମିଶନ ମନ୍ତ୍ରଣାଳୟକୁ ସବିଶେଷ ତଥ୍ୟ ମାଗିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍‌ସୋ) ଆଇନରେ ୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ନାବାଳକ ଦର୍ଶାଯାଇଛି। କିଶୋର କିଶୋରୀଙ୍କ ମଧ୍ୟରେ ସମ୍ପର୍କକୁ ନେଇ ସହମତି ଭୂମିକା ଉପରେ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜିଥାଏ। ତେଣୁ ସହମତି ବୟସ ସମ୍ପର୍କରେ ଆଇନ କମିଶନ ସରକାରଙ୍କଠାରୁ କେତେକ ତଥ୍ୟ ମାଗିଛନ୍ତି। ଶିଶୁଙ୍କୁ ଯୌନ ଶୋଷଣରୁ ସୁରକ୍ଷା ଦେବା ପୋକ୍ସୋ ଆଇନର ଉଦ୍ଦେଶ୍ୟ। ଏହାର ଅର୍ଥ କିଶୋର କିଶୋରୀଙ୍କ ମଧ୍ୟରେ ସହମତିରେ ପ୍ରେମ ସମ୍ପର୍କକୁ ଅପରାଧୀକରଣ କରାଯାଇପାରିବ ନାହିଁ ବୋଲି ଗତବର୍ଷ ଦିଲ୍ଲୀ ହାଇକୋର୍ଟ କହିଥିଲେ। ପ୍ରତି ୩ ବର୍ଷରେ ଗଢ଼ାଯାଉଥିବା ଆଇନ କମିଶନ ଜଟିଳ ଆଇନଗତ ପ୍ରସଙ୍ଗ ଉପରେ ସରକାରଙ୍କୁ ଉପଦେଶ ଦେଇଥାନ୍ତି। ବର୍ତ୍ତମାନର ଆଇନ କମିଶନ ଅବସରପ୍ରାପ୍ତ ବିଚାରପତି ଋତୁରାଜ ଅଓ୍ବସ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି।

Share